ରକ୍ତରେ ଖେଳିଥିଲେ ହୋଲି ! ଖଣ୍ଡା ବୁଲାଇ ଖେଳାଇଥିଲେ ଆତଙ୍କ । ଭାଇଗିରି ଛଡାଇ ଦେଲା ପୁଲିସ

207

କନକ ବ୍ୟୁରୋ: ହୋଲିରେ ନୟାପଲ୍ଲୀ ବ୍ରିଟ୍ କଲୋନୀ ହଣାହଣି ଘଟଣା । ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତେବେ ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ ରହିଛି । ମିଳିଥିବା ସୂଚନା ମୁତାବକ,ଗାଧୋଇବା ନେଇ ହୋଇଥିବା ଗଣ୍ଡଗୋଳରୁ ବିବାଦ ଉପୁଜିଥିଲା । ପରେ ହୋଲିରେ ରକ୍ତ ରଞ୍ଜିତ ହୋଇଥିଲା ରାଜଧାନୀ ।

  • ରକ୍ତରେ ଖେଳିଥିଲେ ହୋଲି !
  • ଖଣ୍ଡା ବୁଲାଇ ଖେଳାଇ ଥିଲେ ଆତଙ୍କ
  • ଭାଇଗିରି ଛଡାଇ ଦେଲା ପୁଲିସ

ଏହି ଅଭିଯୁକ୍ତମାନେ ନୟାପଲ୍ଲୀ ଅଞ୍ଚଳରେ ହୋଲିରେ କୋକୁଆ ଭୟ ସୃଷ୍ଟି କରିଥିଲେ । ସମସ୍ତେ ଅବିରରେ ହୋଲି ଖେଳୁଥିବା ବେଳେ, ଏମାନେ ରକ୍ତରେ ହୋଲି ଖେଳି ରାଜଧାନୀକୁ ରକ୍ତ ରଞ୍ଜିତ କରିଥିଲେ । ଗ୍ୟାଙ୍ଗ ତିଆରି କରି ହିଂସାକାଣ୍ଡ ଘଟାଇ ନୟାପଲ୍ଲୀ ଅଞ୍ଚଳରେ ୪ ଜଣକୁ ହାଣିବା ନେଇ ଥାନାରେ ମାମଲା ରୁଜୁ କରିଥିଲା ପୁଲିସ । ଆଉ ପୁଲିସକୁ ଚ୍ୟାଲେଞ୍ଜ ଏମାନଙ୍କ ପାଇଁ କାଳ ହୋଇଥିଲା । ଗିରଫ ୮ ଅଭିଯୁକ୍ତଙ୍କ ଭିତରେ, ଜଣେ ନାବାଳକ ରହିଛି । ଶେଷରେ ଜେଲ ଯାଇଛନ୍ତି ଏହି ଖଣ୍ଡାବୁଲା ଗ୍ୟାଙ୍ଗ ।

ନୟାପଲ୍ଲୀ ବାଲୁଙ୍କେଶ୍ୱର ପୋଖରୀ ପାଖରେ ଗାଧୋଇବାକୁ କେନ୍ଦ୍ର କରି କେନ୍ଦୁ ଖୁଂଟିଆ ଏବଂ ରକି ନାୟକ ଭିତରେ ଗଣ୍ଡଗୋଳ ହୋଇଥିଲା । ପରେ ରକି ନାୟକ ଓ ତାର ଗ୍ୟାଙ୍ଗ କେନ୍ଦୁ ଖୁଂଟିଆ ଘରେ ପଶି ତାକୁ ଆକ୍ରମଣ କରିବା ସହ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା । ରକ୍ତମୁଖା ହୋଇ ପଡିଥିବା ଏହି ଗ୍ୟାଙ୍ଗ ଯାହାକୁ ପାରିଥିଲା ତାକୁ ଚୋଟ ପକାଇ ଚାଲିଥିଲା । ଏହି ୮ ଅଭିଯୁକ୍ତଙ୍କୁ ବାଦ ଦେଲେ ଆହୁରି ଏକାଧିକ ଅଭିଯୁକ୍ତଙ୍କୁ ଏବେ ପୁଲିସ ଖୋଜୁଛି ।

ଏବେ ଆକ୍ସନ ମୋଡରେ କମିଶନରେଟ ପୁଲିସ । ସହରରେ କୌଣସି ପ୍ରକାରର ହିଂସାକାଣ୍ଡ ବା ଭାଇଗିରିକୁ ପ୍ରସୟ ଦିଆଯିବନି ବୋଲି ସଫା ସଫା ଶୁଣାଇ ଦେଇଛି ପୁଲିସ । ଅଭ୍ୟାସଗତ ଅପରାଧୀଙ୍କୁ ହାତକଡି ପିନ୍ଧାଇବା ସହ ତଡିପାର କରିବାକୁ ଯୋଜନା କରିଛି ପୁଲିସ ।