ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ହେଲା ଉପରମୁହାଁ । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଛୁଇଁଲା ଦିନର ସର୍ବୋଚ୍ଚ ତାପମାତ୍ରା

156

କନକ ବ୍ୟୁରୋ: ୪୦ ଛୁଇଁଲା ୫ଟି ସହରର ତାପମାତ୍ରା । ବଲାଙ୍ଗୀର, ଟିଟିଲାଗଡ, ବୌଦ୍ଧ ଏବଂ ନୟାଗଡ ସହରରେ ୪୦ ଛୁଇଁଛି ତାପମାତ୍ରା । ସେହିପରି ତାଳଚେର ସହରରେ ତାପମାତ୍ରା ୩୯.୮ ଡିଗ୍ରୀ ଏବଂ ଅନୁଗୁଳ ସହରରେ ୩୯.୧, ଝାରସୁଗୁଡାରେ ୩୯.୧, ଫୁଲବାଣୀ ୩୯.୨ ରେକର୍ଡ କରାଯାଇଛି । ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । କେବଳ ଦିନ ନୁହେଁ ରାତିରେ ମଧ୍ୟ ସ୍ୱାଭାବିକଠୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୫ ଦିନ ଭିତରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଯାଏଁ ଅଧିକ ରହିବ ବୋଲି ଆକଳନ କରାଯାଇଛି ।

ଫଗୁଣ ମାସରେ ଏମିତି ଖରା ହେଉଛି ଯେ ଘରୁ ବାହାରିବାକୁ ଡର ମାଡୁଛି । ସ୍ୱାଭାବିକ ଠାରୁ ତାପମାତ୍ରା ଅଧିକ ରହୁଛି । ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଜନତା । ପାଣିପାଗ ବିଭାଗର ଆକଳନ କହୁଛି, ଏବେ ତାତିରୁ ନିସ୍ତାର ମିଳିବ ନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଯାଏଁ ଅଧିକ ରହିବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ହଟ ୱେଦର ସ୍ଥିତି ରହିଛି । ମେଘମୁକ୍ତ ଆକାଶ, ଶୁଖିଲା ପାଗ ପାଇଁ ରାଜ୍ୟରେ ତାତି ଆହୁରି ବଢିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୩୯ ଦଶମିକ ୧ ଡିଗ୍ରୀ ଓ ଚାନ୍ଦବାଲିରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

  • ତାତିକୁ ନେଇ ସତର୍କ ସୂଚନା
  • ଦିନ ୧୦ଟାରୁ ଅପରାହ୍ଣ ୩ଟା ଯାଏଁ ପିକ୍ ଆୱାର

ରାଜ୍ୟରେ ତାପମାତ୍ରା ଓ ଆଦ୍ରତା ମିଶି ଏକ ଅସହ୍ୟ ପାଣିପାଗ ଅନୁଭୂତ ହେଉଛି । କେବଳ ଦିନରେ ନୁହେଁ ରାତିର ତାପମାତ୍ରା ମଧ୍ୟ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି । ତେଣୁ ଏହି ପାଗକୁ ଦେଖି ଛୋଟ ପିଲା, ବୟସ୍କ ବ୍ୟକ୍ତି ଏବଂ ରୋଗୀମାନଙ୍କୁ ସିଧା ସଳଖ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ନଆସିବାକୁ କୁହାଯାଇଛି । ଏଥିପାଇଁ ଦିନ ୧୦ଟାରୁ ଅପରାହ୍ଣ ୩ଟା ଯାଏଁ ପିକ୍ ଆୱାର ଘୋଷଣା କରାଯାଇଛି । ଅତି ଜରୁରୀ କାମଥିଲେ ଏହି ସମୟରେ ଘରୁ ବାହାରନ୍ତୁ । ସାଙ୍ଗରେ ପାନୀୟ ସାମଗ୍ରୀ, ହାଲୁକା ରଙ୍ଗ ଓ ଢିଲା ପୋଷାକ ପିନ୍ଧି, ଛତା ଧରି ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟରେ ଗରମ ଓ ଗୁଳୁଗୁଳି ପାଗ ଭିତରେ ଆସନ୍ତା ୨୪ ଘଂଟା ଭିତରେ ଉତରଓଡିଶାର ୭ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଘଡଘଡି ସହ ବର୍ଷା, ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ବର୍ଷା ହେଲେ ମଧ୍ୟ ତାତି ଉପରେ ଲାଗିବ ନାହିଁ ବ୍ରେକ ବୋଲି ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।