ବଜେଟର ସପ୍ତସୂତ୍ରୀ ଫର୍ମୁଲା: ମୋଦୀ ସରକାରଙ୍କ ବଜେଟରେ ୭ ପ୍ରସଙ୍ଗକୁ ଗୁରୁତ୍ୱ

169

କନକ ବ୍ୟୁରୋ: ସାରା ଦେଶର ନଜର ଅଟକି ରହିଥିଲା, ନିର୍ବାଚନ ପୂର୍ବରୁ ଆସୁଥିବା ବଜେଟ୍ ତଥା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶବାସୀଙ୍କୁ କ’ଣ ଭେଟି ଦେବେ? ଜନତାଙ୍କ ଏହି ଉକ୍ରଣ୍ଠା ଭିତରେ ବଜେଟକୁ ଅମୃତ କାଳର ବଜେଟର ଆଖ୍ୟ ଦେଇ ସପ୍ତଋଷୀର ତତ୍ୱ କହିଛନ୍ତି ଅର୍ଥମନ୍ତ୍ରୀ । ଏହି ସପ୍ତଋଷି ହେଉଛି, ମୋଦିର ସରକାରଙ୍କ ୭ଟି ପ୍ରମୁଖ ପ୍ରସଙ୍ଗ । ଯାହାକୁ ୨୦୦୩-୨୪ ଆର୍ଥିକ ବଜେଟରେ ପ୍ରାଥମିକତା ଦେଇଛନ୍ତି ନିର୍ମଳା ସୀତାରମଣ ।

ଅମୃତକାଳର ସପ୍ତଋଷି
୧- ସାମଗ୍ରିକ ବିକାଶ
୨- ଲକ୍ଷ୍ୟର ଅନ୍ତିମ ଯାଏଁ ପହଂଚିବା
୩- ଭିତ୍ତିଭୂମି ଓ ନିବେଶ
୪-ଦକ୍ଷତା ବିକାଶ
୫-ସବୁଜ ବିପ୍ଲବ
୬-ଯୁବଶକ୍ତି
୭-ଆର୍ଥିକ ବିକାଶ

ଦେଶର ସାମଗ୍ରିକ ବିକାଶକୁ ଲକ୍ଷ୍ୟରେ ରଖି ଏହି ୭ଟି ପ୍ରସଙ୍ଗ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅମୃତକାଳର ଏହି ପ୍ରଥମ ବଜେଟ ବିକଶିତ ଭାରତର ସଂକଳ୍ପକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଯେଉଁ ୭ଟି ପ୍ରସଙ୍ଗକୁ ବଜେଟରେ ପ୍ରାଥିମତା ଦିଆଯାଇଛି, ତାହା ସାମଗ୍ରିକ ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଦକ୍ଷତା ବିକାଶ ଏବଂ ଯୁବ ଶକ୍ତିର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଇବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ଆୟକର ବ୍ୟବସ୍ଥାରେ ସଂସ୍କାର, ଶିକ୍ଷା ଓ ଦକ୍ଷତା ବିକାଶ, କୃଷି ଓ ବୈଷୟିକ ଜ୍ଞାନ କୌଶଳ, ମହିଳାଙ୍କ ବିକାଶ, ଗ୍ରାମାଂଚଳର ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇଛି ।

ବଜେଟ ଉପସ୍ଥାପନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି- ଏହି ବଜେଟ ବଂଚିତ ଲୋକଙ୍କୁ ପ୍ରାଥମିକତା ଦେଉଛି । ଦେଶ ନିର୍ମାଣରେ ଲୋକଙ୍କ ସହଭାଗୀତାକୁ ପ୍ରୋତ୍ସାହନ ଦିଆଯାଇଛି । ବଜେଟ ଗ୍ରାମୀଣ ଅର୍ଥନୀତିର ବିକାଶରେ ଏହି ବଜେଟ ମୂଳଦୁଆ ପକାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏପଟେ କେନ୍ଦ୍ରୀୟ ବଜେଟକୁ କର୍ପୋରେଟ୍ ବଜେଟ କହି ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍୍ଗେ କହିଛନ୍ତି ଯେ, ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ତାକୁ ଦୃଷ୍ଟିରେ ରଖି ମୋଦୀ ସରକାର ବଜେଟ ପ୍ରସ୍ତୁତ କରିଛନ୍ତି । ଏଥିରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ । ତେବେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ବେଳେ କହିଛନ୍ତି- ଦେଶର ଅର୍ଥନୀତି ସଠିକ୍ ଧାରାରେ ଉଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର ହେଉଛି ।