ମୁମ୍ବାଇ-ଗୋଆ ‘କ୍ରୁଜ୍‌ ଜାହାଜ’ର ୬୬ ଯାତ୍ରୀ କରୋନା ପଜିଟିଭ୍। ପୂର୍ବରୁ ଜଣେ ଜାହାଜ କର୍ମଚାରୀ ହୋଇଥିଲେ ସଂକ୍ରମିତ।

86

କନକ ବ୍ୟୁରୋ : ମୁମ୍ବାଇରୁ ଗୋଆ ମଧ୍ୟରେ ଚଳାଚଳ କରୁଥିବା ବିଳାସମୟ କ୍ରୁଜ୍‌ ଜାହାଜ ‘କର୍ଡେଲିଆ’ରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କ୍ରୁଜରେ ଥିବା ୨୦୦୦ ଯାତ୍ରୀଙ୍କର ନମୁନା ପରୀକ୍ଷା କରାଯାଇଥିଲା । ଏବେ ସେଥିରେ ଥିବା ୬୬ ଯାତ୍ରୀଙ୍କ ନମୁନା ପଜିଟିଭ ହୋଇଥିବା ଜଣାପଡ଼ିଛି । ରବିବାର ଦିନ, ପିପିଇ କିଟ ପିନ୍ଧି ଏକ ଡାକ୍ତରୀ ଦଳ ବିମାନରେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସମେତ ସମସ୍ତ ୨,୦୧୬ ଲୋକଙ୍କଆରଟି-ପିସିଆର ପରୀକ୍ଷା କରିବାକୁ ଯାଇଥିଲେ । ଏହା ପରେ ୬୬ଜଣ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। ଏବେ ଜାହାଜରୁ ଯାତ୍ରୀମାନଙ୍କୁ ଅବତରଣ କରିବାକୁ ଅନୁମତି ଦିଆଯିବ କି ନାହିଁ ସେ ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ।

ମୁମ୍ବାଇରୁ ଯାଇଥିବା ଉକ୍ତ ଜାହାଜଟି ‘ମୋର୍ମୁଗାଓ କ୍ରୁଜ୍‌ ଟର୍ମିନାଲ୍‌’ରେ ଲଙ୍ଗର୍‌ ପକାଇଛି। ଗୋଆରେ ଥିବା ଡକରେ ଲଙ୍ଗର୍‌ ପକାଇବାକୁ ‘ମୁମ୍ବାଇ ପୋର୍ଟ ଟ୍ରଷ୍ଟ୍‌’ ଉକ୍ତ କ୍ରୁଜ୍‌ ଜାହାଜକୁ ଅନୁମତି ଦେଇ ନ ଥିଲେ। ତେବେ ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ କ୍ରୁଜରେ କରୋନା ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏବେ ୬୬ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ଆଗାମୀ ପଦକ୍ଷେପ କ’ଣ ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ଭାରତରେ ଏବେ ସମୁଦାୟ ‘ଓମିକ୍ରନ୍‌’ ସଂକ୍ରମଣ ସଂଖ୍ୟା ମଧ୍ୟ ୧,୭୦୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୪୫,୬୮,୮୯,୩୦୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୮,୦୯,୫୦,୪୭୬ଟି ନମୁନା ପରୀକ୍ଷା କରାଯାଇଛି । ଗତକାଲି ପରୀକ୍ଷା କରାଯାଇଛି ୮,୭୮,୯୯୦ଟି ନମୁନା ।