କନକ ବ୍ୟୁରୋ: କାଫେ ନା ଶୁଣିଲେ ମନକୁ ଆସେ ଚା- କଫିର କଥା । କାଫେରେ ବି ଖଟି ଜମେ, ସାହିତ୍ୟର ଆସର ବି ବସେ । ହେଲେ କାଫେରେ ଯେ ପାଠପଢା ହୁଏ, ଗଣିତ ଶିକ୍ଷା ଦିଆଯାଏ ତାହା ଟିକେ ନୂଆନୂଆ ଲାଗୁଛି । କିନ୍ତୁ କଟକରେ ଅଛି ‘ମ୍ୟାଥମେଟିକ୍ସ କାଫେ’ । ଯେଉଁଠି ମାଗଣାରେ ମିଳୁଛି ଗଣିତ ଶିକ୍ଷା । ଆଉ ପିଲାଏ ଚା କି କଫି ନୁହେଁ ପିଉଛନ୍ତି ଜଟିଳ ଗଣିତର ସହଜ ଜୁସ୍ ।
କରୋନା ପାଇଁ ଯେତେବେଳେ ସ୍କୁଲ କଲେଜ ସବୁ ବନ୍ଦ ହୋଇଗଲା । ପିଲା ପାଠ ପଢିବାକୁ ସମସ୍ୟା ଭୋଗିଲେ । ଅନଲାଇନ କ୍ଲାସରୁ ବଞ୍ଚିତ ହେଲେ କିମ୍ବା ପାଠ ବୁଝି ନପାରିବା ଭଳି ଭିନ୍ନ ଭିନ୍ନ ସମସ୍ୟା ଭୋଗିଲେ । ଠିକ ସେତେବେଳେ ପିଲାଙ୍କୁ ପଢାଇବାକୁ ଏକ କାଫେର ପରିକଳ୍ପନା କରିଥିଲେ କଟକ ଶିଖରପୁର ଅଞ୍ଚଳର ସବ୍ୟସାଚୀ ରାଉତ । ନାଁ ରଖିଥିଲେ ‘ମ୍ୟାଥମେଟିକ୍ସ କାଫେ’ । ଯେଉଁଠି ଖାଦ୍ୟ ବଦଳରେ ପିଲାଙ୍କୁ ନିଶୁଳ୍କ ପରସାଯାଉଛି ପାଠ । ସମାଧାନ କରାଯାଉଛି ଗଣିତ ଓ ଜଟିଳ ଜ୍ୟାମିତିର ସୂତ୍ର । ଯାହା ସବ୍ୟସାଚୀଙ୍କୁ ଆଣିଦେଇଛି ଏକ ସ୍ୱତନ୍ତ୍ର ପରିଚୟ ।
ସବ୍ୟସାଚୀ ମ୍ୟାଥମେଟିକ୍ସରେ ମାଷ୍ଟର ଡିଗ୍ରୀଧାରୀ । ନିଜ ଭିତରେ ଗଣିତକୁ ନେଇ ସେ ଅହରହ ଅଙ୍କ କଷୁଥାନ୍ତି । ଯେତିକି ସେ ଗଣିକ ବାବଦରେ ଜ୍ଞାନ ଆହରଣ କରିଛନ୍ତି ତାକୁ ସେ ପିଲାଙ୍କୁ ବାଣ୍ଟିବାରେ ଲାଗିଛନ୍ତି । ୭ ବର୍ଷ ହେବ ଭୁବନେଶ୍ୱର, କଟକ, ପୁରୀ ଆଦି ଅଞ୍ଚଳରେ ସାପ୍ତାହିକ ଗଣିତ ପଢାଉଥିବା ବେଳେ ଶିଖରପୁରରେ ନିଜ ମ୍ୟାଥମେଟିକ୍ସ କାଫେରେ କେବଳ ୧୦ମ ଶ୍ରେଣୀ ପିଲାଙ୍କୁ କୋଚିଂ ଦେଉଛନ୍ତି ସବ୍ୟସାଚୀ ।
ତେବେ ଗରିବ ପରିବାର ଓ ଅସହାୟ ପିଲାଙ୍କୁ ମାଗଣାରେ ପାଠ ପଢାଇବାକୁ ଅଣ୍ଟା ଭିଡିଥିବା ସବ୍ୟସାଚୀ ପିଲାଙ୍କୁ ସାହାଯ୍ୟ କରି ଆତ୍ମଶାନ୍ତି ପାଉଥିବା କହିଛନ୍ତି । ପାଠ ପଢା ସହ ପିଲାଙ୍କ ମନ ପାଠରେ ଲାଗିବାକୁ ସେ ସବୁଦିନ କିଛି ନା କିଛି ସ୍ନାକ୍ସର ବ୍ୟବସ୍ଥା କରିଥାନ୍ତି । ଯାହାକୁ ଖାଇ ପିଲା ଅଙ୍କ କଷିବାରେ ଲାଗନ୍ତି । ଗଣିତ ଉପରେ ଗବେଷଣା କରି ଦୁଇଟି ବହି ଲେଖିଥିବା ଅଙ୍କ ସାର୍ ସବ୍ୟସାଚୀ ପିଲାଙ୍କୁ ଗଣିତ କୌଶଳ ଶିଖାଇ ଅନେକ ପରୀକ୍ଷା ପାଇଁ ପ୍ରସ୍ତୁତି ହେବାକୁ ପ୍ରେରଣା ଦିଅନ୍ତି, ଅନେକଙ୍କୁ ବି ସଫଳ କରାଇଛନ୍ତି । ତେବେ ମ୍ୟାଥକୁ ନେଇ ଏକ କାଫେ କରିହେବ ତାର କଳ୍ପନା କରି ଏବେ କଟକରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ସବ୍ୟସାଚୀ ।