ଓଡ଼ିଶାକୁ ଆସିଛି କି ବ୍ରିଟେନ୍ ଭୂତାଣୁ ? ନମୂନା ପରୀକ୍ଷା ପରେ ସ୍ପଷ୍ଟ ହେବ ଫେରନ୍ତା ବ୍ୟକ୍ତି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ କି ନୁହେଁ ?

212

କନକ ବ୍ୟୁରୋ: ବ୍ରିଟେନ ଫେରନ୍ତାଙ୍କ ଠାରେ ଅଛି କେଉଁ ଷ୍ଟ୍ରେନ ? ପରୀକ୍ଷା ପାଇଁ ପୁନେ ପଠାଗଲା ନମୂନା । ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ପରେ ଲୋକଙ୍କ ମନରେ ଭୟ ପ୍ରବେଶ କରିଛି । ସଂପୃକ୍ତ ବ୍ୟକ୍ତି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ନା ନୁହଁନ୍ତି ସ୍ପଷ୍ଟ ହୋଇ ନାହିଁ । ତେଣୁ ବ୍ରିଟେନ ଫେରନ୍ତା ଯୁବକଙ୍କ ସାମ୍ପୁଲ ପୁଣେରେ ଥିବା ଜାତୀୟ ନାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି । ସେଠାରେ ଆଇଏଲଏସ ସମେତ ୫ଟି ସଂସ୍ଥା ଗବେଷଣା କରିବେ । ପୁନେରେ ଜିନମ ସିକ୍ୟୁଏନ୍ସ ପରେ ଜଣାପଡ଼ିବ ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁଁ ।

ବ୍ରିଟେନ ଫେରନ୍ତା ଯୁବକ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଆଶ୍ୱସ୍ତିକର କଥା ହେଉଛି ତାଙ୍କ ପରିବାର ଲୋକ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ ଆସିଛି । ପୂର୍ବ କରୋନା ରୋଗୀଙ୍କ ପରି ଏହି ରୋଗୀଙ୍କ ଲକ୍ଷଣ ସମାନ ରହିଛି । ତେଣୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୟୁରୋପୀୟ ଦେଶ ଛଡା ଅନ୍ୟ ଦେଶରେ ଏହି ୱେଭ ଦେଖା ଦେଇନଥିବାରୁ ଏହାକୁ ଦ୍ୱିତୀୟ ୱେଭ କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

କରୋନାର ନୂଆ ଷ୍ଟ୍ରେନ ଚିନ୍ତା ବଢ଼ାଇଥିବା ବେଳେ ଇଂଲଣ୍ଡ ଫେରନ୍ତା ସମ୍ପର୍କରେ ତୁରନ୍ତ ସୂଚନା ଦେବାକୁ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ଯେଉଁଥିରେ ବ୍ରିଟେନ ଫେରନ୍ତା ବ୍ୟକ୍ତି ନିଜର ତଥ୍ୟ ଦେଇପାରିବେ । ସୂଚନା ମିଳିବା ପରେ ବିଭାଗର ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ । ତେବେ ମୋଟ ୪୩ ଜଣ ବ୍ରିଟେନରୁ ଫେରିଥିବା ସରକାର ତଥ୍ୟ ଦେଇଛନ୍ତି । ସେଥିରୁ କେବଳ ଭୁବନେଶ୍ୱରରେ ୨୧ ଜଣ ।