ବିଜୁ ପଟ୍ଟନାୟକ ବିମାନବନ୍ଦରର ହେବ ନବକଳେବର! ଖୁବଶୀଘ୍ର ନିର୍ମାଣ ହେବ ଟର୍ମିନାଲ-୩, ଖର୍ଚ୍ଚ ହେବ ୯୩୫ କୋଟି

115

କନକ ବ୍ୟୁରୋ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ନବକଳେବର। ନୂଆ ଓ ପୁରୁଣା ଟର୍ମିନାଲ୍କୁ ସଂଯୋଗ କରିବା ପାଇଁ ଏକ ଲିଙ୍କ୍ ବିଲ୍ଡିଂ ନିର୍ମାଣ ହେବ। ଏଥିସହ ବିମାନବନ୍ଦରରେ ଥିବା ଟି-ୱାନ୍ ଓ ଟି-ଟୁ ଟର୍ମିନାଲ ପରେ ଏବେ ଟି-ଥ୍ରୀ’ ଟର୍ମିନାଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ବାର୍ଷିକ ପ୍ରାୟ ୮୦ଲକ୍ଷ ଯାତ୍ରୀଙ୍କ ଯିବା ଆସିବାକୁ ସୁବନ୍ଦୋବସ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଟି-ୱାନ୍ ଓ ଟି-ଟୁ ଟର୍ମିନାଲ୍କୁ ଯୋଡ଼ିବା ପାଇଁ ଏକ ଲିଙ୍କ୍ ବିଲ୍ଡିଂର ଆଜି ଶୁଭ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରାୟ ୮୭କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ବିଲଡିଂ କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ ହେବ। ନୂତନ ଲିଙ୍କ୍ ବିଲ୍ଡିଂ ନିର୍ମାଣ ପରେ ଟର୍ମିନାଲ୍-୨ରେ ବି ଅନ୍ତର୍ଜାତୀୟ ବିମାନ ଅବତରଣ କରିବ। ଯାତ୍ରୀମାନେ ଟର୍ମିନାଲ୍-୨ରେ ଥିବା ଏରୋବ୍ରିଜରେ ଓହ୍ଲାଇ ଲିଙ୍କ୍ ବିଲ୍ଡିଂ ମାଧ୍ୟମରେ ଟର୍ମିନାଲ୍-୧କୁ ଆସି ପାରିବେ। ସେହିପରି ପାରାଲାଲ୍ ଟ୍ୟାକ୍ସି ଷ୍ଟାଣ୍ଡ ଓ ୧୪୭ କୋଟି ଟଙ୍କା ବ୍ୟୟରେ ୮ଟି ନୂତନ ପାର୍କିଂ ବେ’ ନିର୍ମାଣର ମଧ୍ୟ ଶୁଭ ଦିଆଯାଇଛି।

ବର୍ଷକୁ ବର୍ଷ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ ତାହାକୁ ଦୃଷ୍ଟିରେ ରଖି ୯୩୫ କୋଟି ଟଙ୍କା ବ୍ୟୟରେ ଟର୍ମିନାଲ୍-୩ର ନିର୍ମାଣ କରିବାକୁ ଯୋଜନା ହୋଇଛି। ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଏହାର କାମ ଆରମ୍ଭ ହେବ। ଅଢ଼େଇ ବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ରୂପ ନେବ। ଫଳରେ ପ୍ରତିବର୍ଷ ଭୁବନେଶ୍ୱର ବିମାନବନ୍ଦରରେ ପ୍ରାୟ ୮୮ ଲକ୍ଷ ଯାତ୍ରୀଙ୍କ ଯିବା ଆସିବା ସୁବ୍ୟବସ୍ଥିତ ହୋଇପାରିବ ବୋଲି ବିମାନବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି। ଶିଳାନ୍ୟାସ ଉତ୍ସବରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍, ଏଏଆଇ ଚେୟାରମ୍ୟାନ୍ ଗୁରୁ ପ୍ରସାଦ ମହାପାତ୍ରଙ୍କ ସମେତ ବିମାନ ଚଳାଚଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ଉଡ଼ାଣ ମନ୍ତ୍ରୀ ସୁରେଶ ପ୍ରଭୁ ଭିଡିଓରେ ବାର୍ତ୍ତା ଦେଇଥିଲେ।