ଚୋରା ଡ୍ରଗ୍ସ କାରବାର ନେଇ କଠୋର ହେଲେ ଗୃହମନ୍ତ୍ରୀ, ୩୦ ହଜାର କିଲୋ ଡ୍ରଗ୍ସ ଜାଳିଦେଲା ଏନସିବି

143

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ତତ୍ୱାବଧାନରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୩୦ ହଜାର କିଲୋ ଡ୍ରଗ୍ସକୁ ଜାଳି ଦେଇଛି । ଚଣ୍ଡିଗଡ ଠାରେ ଆୟୋଜିତ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏସବୁ ଉପରେ ନଜର ରଖିଥିଲେ ଗୃହମନ୍ତ୍ରୀ । ଏହି ଡ୍ରଗ୍ସକୁ ୪ ଟି ସ୍ଥାନରେ ଜାଳି ଦିଆଯାଇଛି । ଏନେଇ ଆୟୋଜିତ ସଭାକୁ ସମ୍ବୋଦ୍ଧିତ କରି ଗୃହମନ୍ତ୍ରୀ କହିଛନ୍ତି କି ନିଶା ଜାତୀୟ ପଦାର୍ଥର ଚୋରା କାରବାର ସମାଜ ପାଇଁ କ୍ଷତିକାରକ । କେନ୍ଦ୍ର ଠାରୁ ରାଜ୍ୟ ସରକାର ପର୍ଯ୍ୟନ୍ତ ଚୋରା ନିଶା କାରବାର ଉପରେ ଜିରୋ ଟଲରେନ୍ସ ନୀତି ଆପଣାଇବାକୁ ସେ ଆହ୍ୱାନ ଦେଇଛନ୍ତି । ଚୋରା ନିଶା କାରବାର ବନ୍ଦ ନହେଲେ ଦେଶର ଯୁବପୀଢି ବରବାଦ ହୋଇଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି । କହିରଖୁ କି ଏନସିବି ପକ୍ଷରୁ ଜୁନ ୧ ତାରିଖରୁ ଚୋରା ନିଶା କାରବାର ରୋକିବାକୁ ଏକ ଅଭିଯାନ ଚଳାଇ ଆସୁଛି । ଏନେଇ ଜୁଲାଇ ୨୯ ତାରିଖ ମଧ୍ୟରେ ୧୧ ଟି ରାଜ୍ୟରୁ ୫୧,୨୧୭ କିଲୋଗ୍ରାମରୁ ଅଧିକ ନିଶାଦର୍ବ୍ୟ ଜବତ କରାଯାଇଥିଲା ।

ସୂଚନା ଥାଉକି ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ କେନ୍ଦ୍ର ସରକାର ସାରା ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛନ୍ତି । ଏହି କ୍ରମରେ ଏନସିବି ପକ୍ଷରୁ ୭୫ ହଜାର କିଲୋଗ୍ରାମ ନିଶାଦର୍ବ୍ୟ ନଷ୍ଟ କରିବାକୁ ସଂକଳ୍ପ ନେଇଥିଲା । ଏହି କ୍ରମରେ ଆଜି ୩୦ ହଜାର କିଲୋରୁ ଅଧିକ ନିଶାଦର୍ବ୍ୟ ଏନସିବି ପକ୍ଷରୁ ଜାଳି ଦିଆଯାଇଛି । ଏନେଇ କୁହାଯାଇଛି କି ଏବେ ଏନସିବି ତରଫରୁ ୮୧,୬୮୬ କିଲୋଗ୍ରାମ ମାଦକ ଦର୍ବ୍ୟ ଜବତ କରାଯାଇଛି । ଯାହାକି ଏନସିବି ଧାର୍ଯ୍ୟ କରିଥିବା ଲକ୍ଷଠାରୁ ଅଧିକ ।