ଟିକରୀ ସୀମାରେ ଜଣେ କୃଷକଙ୍କ ଆତ୍ମହତ୍ୟା । ଅନ୍ୟ ୨ ଜଣ ଚାଷୀଙ୍କ ଅସ୍ୱଭାବିକ ମୃତ୍ୟୁ । ସେପଟେ ୨ କୃଷକ ନେତାଙ୍କୁ ନିଲମ୍ବିତ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା

83

କନକ ବ୍ୟୁରୋ : ଗଡୁଛି ତାରିଖ, ବଢୁଛି ଦିନ, ଅସହ୍ୟ ହେଲାଣି ଚାଷୀ ଜୀବନ । ୨ ମାସରୁ ଅଧିକ ହେବ ଦିଲ୍ଲୀ ସୀମାରେ ଚାଲିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଆନ୍ଦୋଳନ ଉପରେ ରୋକ୍ ଲଗାଇବାକୁ ନା ସରକାର ପ୍ରସ୍ତୁତ ନା ନିଜ ଜିଦ୍ ରୁ ଉହୁରିବାକୁ ଅନ୍ନଦାତା ପ୍ରସ୍ତୁତ । ଏହାରି ମଧ୍ୟରେ ଚାଲିଥିବା ଆନ୍ଦୋଳନରେ ଅନେକ ଚାଷୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ କିଛି ଚାଷୀ ଧର୍ଯ୍ୟହରା ହୋଇ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଳିଛି ।

ଗତକାଲି ରାତିରେ ଟିକରୀ ସୀମାରେ ଜଣେ ଚାଷୀ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କୃଷକ ଜଣଙ୍କ ସେକ୍ଟର-୯ ବାଇପାସ ପାର୍କରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଚାଷୀଙ୍କ ନିକଟରୁ ଏକ ଆତ୍ମହତ୍ୟା ନୋଟ୍ ମିଳିଛି । ଏହି ନୋଟରେ ଲେଖାଯାଇଛି କି ‘ସରକାର କେବଳ ତାରିଖ ପରେ ତାରିଖ ଗଡାଇ ଚାଲିଛନ୍ତି । ଏହି କଳା କାନୁନ୍ କେବେ ପ୍ରତ୍ୟାହାର ହେବ ତା’ର କିଛି ନିଦ୍ଧିଷ୍ଟ ସୂଚନା ନାହିଁ, କଳା କାନୁନ ବାତିଲ ନହେବା ପର୍ଯ୍ୟନ୍ତ ମୁଁ ଏଠାରୁ ଯିବି ନାହିଁ ’ । ସେହିଭଳି ଭାବେ ଟିକରୀ ସୀମାରେ ଆଉ ୨ ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି । ଜଣେ କୃଷକଙ୍କ ଘର ପଞ୍ଜାବର ସାଙ୍ଗରୁର ଓ ଅନ୍ୟଜଣେ ମୋଗା ଜିଲ୍ଲାର ବୋଲି ଜଣାପଡିଛି । ହେଲେ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତରୁ ସେମାନଙ୍କର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଛି ବୋଲି ପୋଲିସ ଅନୁମାନ କରିଛି ।

ସେପଟେ ଜାନୁଆରୀ ୨୬ ତାରିଖରେ କୃଷକ ମାନେ କରିଥିବା ଟ୍ରାକ୍ଟର ମାର୍ଚ୍ଚ ବେଳେ ସରକାରଙ୍କ ତରଫରୁ ଦିଆଯାଇଥିବା ରାସ୍ତାରେ ନଯାଇ ଲାଲ୍ କିଲ୍ଲା ଭିତରେ ପଶି ହିଂସା କରିଥିବା ଅଭିଯୋଗରେ ୨ ଜଣ କୃଷକ ନେତାଙ୍କୁ ନିଲମ୍ବିତ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ନିଲମ୍ବିତ ନେତାମାନେ ହେଲେ ଆଜାଦ୍ କିଷାନ ସମିତିର ଅଧ୍ୟକ୍ଷ ହରପାଲ୍ ସଂଘ ଓ ଭାରତୀୟ କିଷାନ ୟୁନିୟନ (କ୍ରାନ୍ତିକାରୀ) ନେତା ସୁରଜିତ୍ ସିଂ ଫୁଲ  । ଏହାସହ ସେଦିନ ଘଟିଥିବା ହିଂସା ବାବଦରେ ତଦନ୍ତ କରିବାରୁ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିର ରିପୋର୍ଟ ଆସିବା ପରେ ଅନ୍ୟ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଅନୁମାନ କରାଯାଉଛି ।