ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୪ ଓଡ଼ିଆ ଶ୍ରମିକ : ଚା’ କମ୍ପାନୀରେ କାମ ଦେବାକୁ କହି ମହାରାଷ୍ଟ୍ର ନେଇଯାଇଥିଲା ଦଲାଲ୍

57

କନକ ବ୍ୟୁରୋ : ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୪ ଓଡ଼ିଆ ଶ୍ରମିକ । ବିଜୟାୱାଡ଼ାର ରାମୁ ନାମକ ଜଣେ ଦଲାଲ ବ୍ରହ୍ମପୁରର ୫ଜଣ ଯୁବକଙ୍କୁ ଚା’କମ୍ପାନୀରେ କାମ ଦେବାର ପ୍ରଲୋଭନ ଦେଖାଇ ମହାରାଷ୍ଟ୍ରର ସୁଗା ଗାଁରେ ମାଛ ଧରିବା କାମରେ ଲାଗାଇଥିଲେ । ଆଉ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲା ଦଲାଲ । ତେବେ କୌଶଳ କ୍ରମେ ଜଣେ ଯୁବକ ସେମାନଙ୍କ କବଳରୁ ଖସି ଆସି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ଏନେଇ ଘଟଣା ସମ୍ପର୍କରେ ବ୍ରହ୍ମପୁର ଏସ୍ପିଙ୍କ ଦ୍ୱାରସ୍ତ ହୋଇଥିଲେ ଯୁବକଙ୍କ ପରିବାର ଲୋକ । ଏହା ପରେ ବ୍ରହ୍ମପୁର ଏସପି ଏକ ୫ଜଣିଆ ଟିମ୍ ତିଆରି କରି ସେମାନଙ୍କୁ ମହାରାଷ୍ଟ୍ର ପଠାଇଥିଲେ । ସେଠାରେ ମହାରାଷ୍ଟ୍ର ପୋଲିସ ସହଯୋଗରେ ଅନ୍ୟ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ବ୍ରହ୍ମପୁର ପୋଲିସ ସହାୟତାରେ ସେମାନଙ୍କୁ ବ୍ରହ୍ମପୁର ଅଣାଯାଇଛି । କରୋନା ମହାମାରୀ ପରେ କାମ ଆଶାରେ ଶ୍ରମିକ ମାନେ ବାହାର ରାଜ୍ୟକୁ ଯାଉଥିବା ବେଳେ ଏଭଳି ଦଲାଲଙ୍କ ଶିକାର ହେବାକୁ ପଡ଼ୁଛି ।