ପିଜି ନାଁରେ ୩୨ ଲକ୍ଷ ଲୁଟ। ମହିଳା ଡାକ୍ତରଙ୍କୁ ଠକିଲେ ଠକ। 

130

କନକ ବ୍ୟୁରୋ: ଡାକ୍ତର କହିଲେ ଠକେଇର କାହାଣୀ  । କେବେ କିଏ ଆଉ କେମିତି ଠକେଇ କଲେ ସେ ନେଇ ଗୋଟି ଗୋଟି କରି କନକ ନ୍ୟୁଜ୍ ଆଗରେ କହିଛନ୍ତି ମହିଳା ଡାକ୍ତର  । ଭୁବନେଶ୍ୱର ଇନଫୋସିଟି ଥାନାରେ ତାଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ସେ ଏସବୁ କଥା ଉଲ୍ଲେଖ କରିଛନ୍ତି  ।  ଦୁଇ ଠକ ନିଜକୁ ଡାକ୍ତରର ପରିଚୟ ଦେଇ ଏକ  ଘରୋଇ ମେଡିକାଲ କଲେଜରେ ପିଜି ଆଡମିସନ ନାଁରେ ତାଙ୍କ ଠାରୁ ୩୨ ଲକ୍ଷ ଟଙ୍କା ଲୁଟିଛନ୍ତି  ।

ସବୁଠାରୁ ବଡ଼ କଥା ହେଉଛି, ଯେଉଁ ଘରୋଇ ମେଡିକାଲ କଲେଜରେ ଆଡମିଶନ ନାଁରେ ଠକେଇ ହୋଇଛି, ସେହି କଲେଜର ରିସେପସନ ଏବଂ କଲେଜ କ୍ୟାମ୍ପସ୍ ଭିତରେ ଅତି ଚାଲାକି ଭାବେ ନକଲି କାଗଜପତ୍ର ଯାଂଚ କରିଥିଲେ ଠକ  । ଏପରିକି ବ୍ଲୁ-ପ୍ରିଂଟ ମୁତାବକ ମହିଳା ଡାକ୍ତର ଓ ତାଂକ ପରିବାରକୁ ଉକ୍ତ କଲେଜର ଲ୍ୟାଣ୍ଡଲାଇନ ନମ୍ବରରୁ ଫୋନ କରି ତାଙ୍କୁ  ଭୁବନେଶ୍ୱରକୁ ଡାକିଥିଲେ  । ଏହାସହିତ ସେମାନେ କଲେଜରେ ପଂହଚିବା ପରେ କଲେଜ ଭିତରେ କାଗଜପତ୍ର  ଯାଂଚ କରିସାରିବା ପରେ ମହିଳା ଡାକ୍ତରଙ୍କୁ ଆଡମିଶନ ଲେଟର ଦେଇଥିଲେ  ।

ଏମାନେ ହେଉଛନ୍ତି ସେହି ଠକ ଓସ୍ତାଦ । ସାଗର ଚୌଧୁରୀ ଓ ଅଭିମନ୍ୟୁ ସିଂ  । ଏମାନେ ଦେଶର କୋଣ ଅନୁକୋଣରୁ ପିଜି ଆଡମିଶନ ନାଁରେ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ବେଳେ ପ୍ରଥମ ଥର ପାଇଁ ଇନଫୋସିଟି ଥାନା ପୋଲିସ୍ ହାତରେ ଧରାପଡ଼ିଛନ୍ତି  । ଏମାନଙ୍କ ଗିରଫଦାରୀ ପରେ ୪ଟି ରାଜ୍ୟର ପୋଲିସ୍ ଭୁବନେଶ୍ୱରକୁ ଆସି ପଚରାଉଚରା କରିବାକୁ ଯୋଜନା କରିଛି  ।