ଫର୍ମାଲିନ ଆତଙ୍କରେ ମାଛ ମାର୍କେଟ ଘାଇଲା ! ଆନ୍ଧ୍ର ମାଛର ଚାହିଦା କମୁଛି, ଦେଶୀମାଛ ପାଇଁ ବିପଦ ବଢୁଛି ।

141

ଆନ୍ଧ୍ର ମାଛରେ ଫାର୍ମାଲିନ ବାହାରିବା ଘଟଣା ପରଠାରୁ ଘାଇଲା ହୋଇଛି ଓଡିଶା ମାର୍କେଟ । ବିଭିନ୍ନ ସ୍ଥାନରେ ମାଛରେ ର୍ଫାର୍ମାଲିନ ଲେପ ଦିଆଯାଉଥିବା ଘଟଣାକୁ ପ୍ରଶାସନିକ ଅଧିକାରୀ ଜାଞ୍ଚ କରିବା ନେଇ ଚିନ୍ତାରେ ପଡିଛନ୍ତି ମାଛ ବ୍ୟବସାୟୀ । କାରଣ ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛରେ ବିଶାକ୍ତ ଫାର୍ମାଲିନ ଲେପ ଦିଆଯାଉଥିବା ଘଟଣା ସତ ହେବା ପରେ ଏବେ ରାଜ୍ୟର ପ୍ରମୂଖ ଜିଲ୍ଲା ମାଛ ମାର୍କେଟରେ ଫୁଡ ନିଗମ ଅଧିକାରୀ ରେଡ କରୁଛନ୍ତି । ଯାହାର ପ୍ରଭାବ ସମ୍ପୂର୍ଣ୍ଣଭାବେ ଖୁଚୁରା ମାଛ ବ୍ୟବସାୟୀଙ୍କ ଉପରେ ପଡୁଥିବା କହିଛନ୍ତି ଜୟ ଯବାନ ମତ୍ସ୍ୟ ବ୍ୟବସାୟୀ ସଂଘର ପରାମର୍ଶଦାତା ସେଖ୍ ମୁସ୍ତଫା । କେବଳ ପ୍ରଭାବ ନୁହେଁ ବରଂ ଫାର୍ମାଲିନ ଆତଙ୍କରେ ସମ୍ପୂର୍ଣ୍ଣ ଘାଇଲା ହୋଇଛନ୍ତି ମାଛ ବ୍ୟବସାୟୀ । ମୁସ୍ତଫାଙ୍କ କହିବା ଅନୁସାରେ ମାଛ ମାର୍କେଟରେ ଆମିଷ ଦିନରେ ୪୦ରୁ ୪୫ ଟନ୍ ମାଛ ବିକ୍ରୀ ହୁଏ, ଏବେ କେବଳ ୧୦ରୁ ୧୨ ଟନ ମାଛ ମଧ୍ୟ ବିକ୍ରୀ ହେବା କଷ୍ଟକର ହୋଇପଡୁଛି ।

ତେବେ ବର୍ତ୍ତମାନ ସୁଦ୍ଧା କିଲୋପିଛା ମାଛ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନଥିବାବେଳେ ମଧ୍ୟ ମାଛ ବିକ୍ରୀରେ ସମ୍ପୂର୍ଣ୍ଣ ମାନ୍ଦାବସ୍ଥା ଲାଗି ରହିଛି । ଲୋକମାନେ ସାଧରଣତଃ ଏବେ ମାଛ, ଚିଙ୍ଗୁଡି, କିମ୍ବା ଅନ୍ୟକୌଣସି ସି-ଫିଶ୍ ପରିବର୍ତ୍ତେ ଚିକେନ, ଅଣ୍ଡାକୁ କିଣୁଥିବା ଦେଖିବାକୁ ମିଳୁଛି । ତେବେ ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ମାଛ ମାର୍କେଟରୁ ସଂଗୃହୀତ ମାଛ ନମୂନାରୁ ଫାର୍ମାଲିନ ମିଶାଯାଉଥିବା ପରୀକ୍ଷାରୁ ଜଣାପଡିଛି । ମାଛକୁ ସତେଜ ରଖିବା ପାଇଁ ବ୍ୟବହାର କରାଯାଉଥିବା ଜଣାପଡିବା ସହ ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛରେ ଫାର୍ମାଲିନ ମିଶୁଥିବା ସ୍ପଷ୍ଟ ହୋଇଇଥିଲା ।

ବର୍ତ୍ତମାନ ଫାର୍ମାଲିନକୁ ଯାଞ୍ଚ କରିବା ପାଇଁ ରାଜ୍ୟର ପ୍ରମୂଖ ମାଛ ମାର୍କେଟରେ ଚଢ଼ାଉ ଜାରି ରହିଥିବା ବେଳେ ସମ୍ବଲପୁର ମାଛ ମାର୍କେଟରୁ ସଂଗୃହୀତ ନମୂନାରୁ ଫାର୍ମାଲିନ ମିଳିଥିବା ମଧ୍ୟ ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରମୂଖ ସହର ମଧ୍ୟରୁ ୮ରୁ ୧୦ଟି ସହରରେ ନିଗମ ଫୁଡ କ୍ୱାଲିଟ ଅଫିସର ଓ ପ୍ରଶାସନିକ ଅଧିକାରୀଙ୍କ ତରଫରୁ ମାଛ ମାର୍କେଟରେ ଚଢାଉ କରାଯାଇଛି । ତେବେ ରାଜଧାନୀର ଆମିଷ ପେଣ୍ଠସ୍ଥଳୀ କୁହାଯାଉଥିବା ୪ନଂ ମାଛ ମାର୍କେଟରେ ଏବେ ମାଛ ବିକ୍ରୀ ନେଇ ଚିନ୍ତାରେ ମାଛ ବ୍ୟବସାୟୀ । ଆମିଷ ଦିନରେ ମଧ୍ୟ ବେପାରରେ କ୍ଷତି ସହିବାକୁ ପଡୁଛି ବୋଲି କହିଛନ୍ତି ମାଛ ବ୍ୟବସାୟୀ । ତେବେ ପବିତ୍ର ବାହୁଡା ଯାତ୍ରା ଶେଷ ହେବାପରେ ଆମିଷ ବଜାର ପୂର୍ବପରି ଚାଲିଲେ ମାଛର ଅଭାବ ରହିବ । କାରଣ ବର୍ତ୍ତମାନ ଆନ୍ଧ୍ର ମାଛ ଏବଂ ସାମୁଦ୍ରିକ ମାଛକୁ ମାଛମାର୍କେଟକୁ ଆଣିବା ପାଇଁ ସମୂର୍ଣ୍ଣ ରୋକ ଲଗାଯାଇଛି । ତେଣୁ ଆସନ୍ତା ବହୁଡା ପରେ ହୁଏତ ଅମିଷ ସାମଗ୍ରୀର ମୂଲ୍ୟ ଅଧିକ ବୃଦ୍ଧି ହୋଇପାରେ ବୋଲି କହିଛନ୍ତି ଜୟ ଜବାନ ମତ୍ସ୍ୟ ବ୍ୟବସାୟୀ ସଂଘର ପରାମର୍ଶଦାତା ସେଖ୍ ମୁସ୍ତଫା ।