ସଡ଼କରେ ଦୌଡୁଛି ମୃତ୍ୟୁ । ଓଡ଼ିଶାରେ ଘଟିଥିବା କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ଉପରେ ନଜର ପକାନ୍ତୁ

35

କନକ ବ୍ୟୁରୋ : ଭଦ୍ରକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅକାଳରେ ଚାଲିଗଲା ୫ ନିରୀହ ସ୍କୁଲ ଛାତ୍ରଛାତ୍ରୀଙ୍କ ଜୀବନ । ସ୍କୁଲରୁ ଫେରୁଥିବା ସମୟରେ ରାସ୍ତା ପାର କରୁଥିବା ବେଳେ ମାଡି ଆସିଥିଲା ମୃତ୍ୟୁର ଦୂତ । କେହି କିଛି ଭାବିବା ପୂର୍ବରୁ ରାସ୍ତା ଉପରେ ହିଁ ସ୍କୁଲ ପିଲାଙ୍କ ଉପରେ ମାଡି ଯାଇଥିଲା ଟ୍ରକ । ଆଉ ଘଟଣାସ୍ଥଳରେ ହିଁ ୫ ଛାତ୍ରଛାତ୍ରୀଙ୍କ ଜୀବନ ଦୀପ ଲିଭି ଯାଇଛି । ଏକାଧିକ ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ଯାହା ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ପୂରା ରାଜ୍ୟରେ ପ୍ରତିଦିନ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହା ପ୍ରତି କାହାର ନିଘା ନାହିଁ । କେବଳ ଏହି ଗୋଟିଏ ଦୁର୍ଘଟଣା ନୁହେଁ ଗତ କିଛି ବର୍ଷ ମଧ୍ୟରେ ଓଡିଶାରେ ସଡକ ଦୁର୍ଘଟଣା ଗୋଟିଏ ମାରାତ୍ମକ ବ୍ୟାଧି ଭାବେ ଉଭା ହେଲାଣି ।

road-accident-bike-rider-died-in-bareillyରାଜ୍ୟରେ ସଡକ ଦୁର୍ଘଟଣା ଏତେ ମାତ୍ରାରେ ବଢିଛି ଯେ, ଲୋକମାନେ ଘରୁ ବାହାରିବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି । କାରଣ ରାସ୍ତା ମଝିରେ ଜାଲ ବିଛାଇ ବସିଛି ମୃତ୍ୟୁ । ପାଦେ ପାଦେ ମୃତ୍ୟୁର ଭୟ ଘାରୁଛି ଲୋକଙ୍କୁ । ଖାସକରି ଜାତୀୟ ରାଜପଥରେ ଅଧିକ ସଂଖ୍ୟକ ଦୁର୍ଘଟଣା ହେଉଥିବାର ଘଟଣା ସାମ୍ନାକୁ ଆସୁଛି । ଜାତୀୟ ରାଜପଥରେ ଭାରିଯାନ ଚାଳକ ମାନେ ଯେଉଁଭଳି ଭାବେ ଗାଡି ଚଳାଉଛନ୍ତି ତାହା ସାଧାରଣ ଲୋକଙ୍କ ପାଇଁ ଆତଙ୍କ ସୃଷ୍ଟି କରିଛି । ଏକ ରିପୋର୍ଟ ଅନୁଯାୟୀ, ୯୮% ଦୁର୍ଘଟଣା ଡ୍ରାଇଭରଙ୍କ ଭୁଲ ପାଇଁ ଘଟୁଛି । ମଦ ପିଇବା ଦ୍ରୁତ ଗତିରେ ଗାଡି ଚଳାଇବା ଫଳରେ ଏଭଳି ଦୁର୍ଘଟଣା ଘଟୁଛି । ଆଉ ସବୁଠୁ ବଡ କଥା ହେଲା, ଭଲ ଅବସ୍ଥାରେ ଥିବା ଜାତୀୟ ରାଜପଥରେ ଘଟୁଛି ଅଧିକ ସଡକ ଦୁର୍ଘଟଣା । ଓଡ଼ିଶାର ରାଜ୍ୟ ରାଜପଥଗୁଡ଼ିକରେ ୨୪୭ଟି ଏବଂ ଜାତୀୟ ରାଜପଥଗୁଡ଼ିକରେ ୨୫୮ଟି ଦୁର୍ଘଟଣା ପ୍ରବଣ ସ୍ଥାନ ରହିଛି, ଯେଉଁଠି ବାରମ୍ବାର ଦୁର୍ଘଟଣା ଘଟୁଛି। ଏହାସତ୍ତେ୍ୱ ମଧ୍ୟ ଚେତୁ ନାହାନ୍ତି ଡ୍ରାଇଭର । ଯଦି ଗତ କିଛି ବର୍ଷ ମଧ୍ୟରେ ଓଡିଶାରେ ହୋଇଥିବା ବଡ ଦୁର୍ଘଟଣା ଉପରେ ନଜର ପକାଇବା ତେବେ ସବୁ କ୍ଷେତ୍ରରେ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ହେଉଥିବାର ପ୍ରମାଣ ସାମ୍ନାକୁ ଆସୁଛି ।

ଓଡିଶାରେ ହୋଇଥିବା କିଛି ବଡ ସଡକ ଦୁର୍ଘଟଣା :
ସେପଟେମ୍ବର ୨୦, ୨୦୧୬
– ଢେଙ୍କାନାଳ ଭୁବନରେ ହାଇଭୋଲଟେଜ୍ ତାର ଲାଗି ଜଳିଗଲା ବସ୍
– ବସ୍ରେ ଥିଲେ ୪୦ ଜଣ, ୬ ଜଣଙ୍କର ମୃତ୍ୟୁ
ସେପଟେମ୍ବର ୯, ୨୦୧୬
– ଅନୁଗୁଳ ଆଠମଲ୍ଲିକ ମାଣିତ୍ରୀ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
– ୫୦ ଫୁଟ ତଳକୁ ବସ୍ ଖସିଲା, ୨୧ ଜଣଙ୍କର ମୃତ୍ୟୁ
ଏପ୍ରିଲ ୨୦୧୬
– ଦେବଗଡ ନିକଟରେ ଓଲଟିଗଲା ଯାତ୍ରା ପାର୍ଟି ବସ
– ୨୭ ଜଣଙ୍କ ଯାତ୍ରା ପାର୍ଟି କଳାକାରଙ୍କ ମୃତ୍ୟୁ
ଜାନୁୟାରୀ ୨୦୧୬
– ଅନୁଗୁଳ ନିକଟ ଚାଇଁପାଳରେ ଛୋଟ ଭ୍ୟାନକୁ ଧକ୍କା ଦେଲା ଟ୍ରକ
– ଘଟଣାରେ ୧୦ ଜଣଙ୍କର ଜୀବନ ଯାଇଥିଲା
ସେପଟେମ୍ବର ୨୦୧୫
– ସୁନ୍ଦରଗଡ ବଣାଇରେ ଓଲଟିଗଲା ମିନିଟ୍ରକ
– ୧୨ କବାଡି ଖେଳାଳିଙ୍କ ମୃତ୍ୟୁ
ଅକଟୋବର ୨୦୧୪
– ନବରଙ୍ଗପୁରରେ ପୃଥକ ପୃଥକ ଦୁଇଟି ମାଲବାହୀ ଗାଡି ଦୁର୍ଘଟଣା
– ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ
ଏପ୍ରିଲ ୨୦୧୩
– ରାୟଗଡାରେ ଓଲଟିପଡିଲା ଟ୍ରାକ୍ଟର
– ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା

ବର୍ଷ       ଦୁର୍ଘଟଣା ସଂଖ୍ୟା      ଆହତ         ମୃତ୍ୟୁ
– ୨୦୧୨    ୯୨୮୫      ୧୦, ୭୧୫   ୩୭୦୧
– ୨୦୧୩    ୯୬୮୦      ୧୧, ୨୫୪   ୪୦୬୨
– ୨୦୧୪    ୯୬୪୮       ୧୧, ୦୮୭   ୩୯୩୧
– ୨୦୧୫    ୧୦, ୫୪୨  ୧୧, ୮୨୫   ୪୩୦୩