ନୟାଗଡ଼ ଜିଲ୍ଲାରେ ଶିଶୁମୃତ୍ୟୁ ହାର ଉଦ୍‌ବେଗଜନକ : ୫ ବର୍ଷରେ ୧୨ ଶହରୁ ଅଧିକ ମୃତ

114

କନକ ବ୍ୟୁରୋ : ନୟାଗଡ଼ ଜିଲ୍ଲାରେ ଏବେବି ଶିଶୁ ମୃତ୍ୟୁରେ ରୋକ୍‌ ଲାଗିପାରିନି । ସରକାରଙ୍କ ବ୍ୟାପକ ଯୋଜନା ଶିଶୁ ମୃତ୍ୟୁକୁ ରୋକିବା ଦିଗରେ ବିଶେଷ ଫଳପ୍ରଦ ହୋଇପାରିନି । ବିଗତ ପାଞ୍ଚବର୍ଷ ତଳେ ଘଟୁଥିବା ନବଜାତକ ଶିଶୁ ମୃତ୍ୟୁଠାରୁ ଆରମ୍ଭ କରି ଜନ୍ମରୁ ପାଞ୍ଚ ବର୍ଷ ବୟସ ମଧ୍ୟରେ ଶିଶୁ ମୃତ୍ୟୁହାର ତୁଳନାରେ ବର୍ତ୍ତମାନ କମ୍ ମୃତ୍ୟୁ ଘଟୁଥିଲେ ମଧ୍ୟ ଏହା ଉତ୍ସାହଜନକ ନୁହେଁ । ଗତ ୫ ବର୍ଷ ମଧ୍ୟରେ ୧୨ଶହରୁ ଅଧିକ ଶିଶୁଙ୍କର ମୃତ୍ୟୁ ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼ିଛି ।

ତଥ୍ୟ ଅନୁସାରେ, ୨୦୧୫-୧୬ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷର ଡି‌ସେମ୍ବର ମାସ ସୁଦ୍ଧା ଜିଲ୍ଲାରେ ୧୨୩୮ ଶିଶୁଙ୍କର ପ୍ରା‌ଣ ଯାଇଛି । ରଣପୁର, ଓଡ଼ଗାଁ, ନୂଆଗାଁ ବ୍ଲକ୍‌ରେ ସର୍ବାଧିକ ନବଜାତକଙ୍କ ମୃତ୍ୟୁ ଘଟିଛି । ସରକାରୀ ଭାବେ ଶିଶୁ ମୃତ୍ୟୁ ହ୍ରାସର ପରିସଂଖ୍ୟାନ ଓ ବାସ୍ତବ ଚିତ୍ର ମଧ୍ୟରେ ଆକାଶ ପାତ‌ାଳ ଫରକ ରହିଛି । ବିଗତ ପାଞ୍ଚ ବର୍ଷରେ ରଣପୁର ବ୍ଲକ୍‌ରେ ସର୍ବାଧିକ ଶିଶୁଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ନବଜାତକଙ୍କଠାରୁ ଆରମ୍ଭ କରି ୧ରୁ ୫ ବର୍ଷ ମଧ୍ୟ‌ରେ ଶିଶୁ ରହିଛନ୍ତି । ୨୦୯ ଜଣ ଶିଶୁ ରଣପୁରରେ ପ୍ରାଣ ହରାଇଛନ୍ତି । ଓଡ଼ଗାଁରେ ୨୦୦ ଓ ନୂଆଗାଁରେ ୧୭୪ ଶିଶୁଙ୍କ ମୃତ୍ୟୁ ଘଟିଛି । ରଣପୁର ବ୍ଲକ୍‌ରେ ୨୦୧୫-୧୬ରେ ୭୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେ‌ଳେ, ୨୦୧୬-୧୭ରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୧୭-୧୮ରେ ୨୯ ଓ ୨୦୨୮-୧୯ରେ ଏହା ବଢ଼ି ୪୧ରେ ପହଞ୍ଚିଥିବା ବେଳେ ୨୦୧୯ ଡିସେମ୍ବର ସୁଦ୍ଧା ଏଠାରେ ୩୦ ଶିଶୁଙ୍କ ମୃତ୍ୟୁ ଘଟିଛି ।

ଓଡ଼ଗାଁରେ ଶିଶୁ ମୃତ୍ୟୁ ସଂଖ୍ୟା ହ୍ରାସରେ ବିଶେଷ ଉନ୍ନତି ହେଉନଥିବା ଦେଖାଯାଇଛି । ୨୦୧୫-୧୬ରେ ଏଠାରେ ସରକାରୀ ଭାବେ ୩୩ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ୨୦୧୬-୧୭ରେ ଏହି ସଂଖ୍ୟା ବଢ଼ି ୪୦ରେ ପହଞ୍ଚିଥିବା ବେଳେ ୨୦୧୭-୧୮ରେ ୩୯, ୨୦୧୮-୧୯ର ଏହା ୪୮ରେ ପହଞ୍ଚିଛି । ୨୦୧୯-୨୦ ବର୍ଷର ଡିସେମ୍ବର ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୦ରେ ରହିଛି। ଓଡ଼ଗାଁ ବ୍ଲକ୍‌ରେ ଶିଶୁ ମୃତ୍ୟୁ ବଢ଼ୁଥିବା ପରିସଂଖ୍ୟାନ ଦର୍ଶାଉଛି । ନୂଆଗାଁ ବ୍ଲକ୍‌ ଶିଶୁ ମୃତ୍ୟୁ ନେଇ ତୃତୀୟ ସ୍ଥାନରେ ରହିଛି ।

୨୦୧୫-୧୬ ବର୍ଷରେ ଏଠାରେ ୫୦ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ, ୨୦୧୬-୧୭ରେ ୩୭, ୨୦୧୭-୧୮ରେ ୩୩, ୨୦୧୮-୧୯ରେ ୨୯ ଓ ୨୦୧୯-୨୦ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ଏହି ସଂଖ୍ୟା ୨୫ରେ ରହିଛି। ନୟାଗଡ଼ ବ୍ଲକ୍‌ରେ ୧୪୬ ଶିଶୁ ମୃତ୍ୟୁ ଘଟିଥିବା ବେଳେ, ଖଣ୍ଡପଡ଼ାରେ ୧୪୭, ଗଣିଆରେ ୬୮, ଦଶପଲ୍ଲାରେ ୧୬୮ ଓ ଭାପୁରରେ ୧୨୯ ଶିଶୁ ମୃତ୍ୟୁ ଘଟିଛି । ପାଞ୍ଚବର୍ଷ ପୂର୍ବ ତୁଳନାରେ ଜିଲ୍ଲାରେ ଶିଶୁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ‌ବେଳେ, ଏହା ବିଶେଷ ଉତ୍ସାହଜନକ ହାରରେ ହ୍ରାସ ପାଇପାରିନାହିଁ । ଏବେ ବି ପ୍ରତିବର୍ଷ ଶତାଧିକ ଶିଶୁଙ୍କୁ ମୃତ୍ୟୁ ଘଟିଚାଲିଛି,  ଯାହାକି ଅତ୍ୟନ୍ତ ଉଦ୍‌ବେଗଜନକ ।