ପଂଚାୟତ ନିର୍ବାଚନରେ ପରିବାର ରାଜନୀତି: ପୁଣି ଚର୍ଚ୍ଚାକୁ ଆସିଲା ମାଲକାନଗିରିର ବାକା ପରିବାର

123

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପରେ ପୁଣି ପଂଚାୟତ ନିର୍ବାଚନରେ ଚର୍ଚାରେ ମାଲକାନଗିରିର ବାକା ପରିବାର । ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଉଭୟ ଦାଦା-ଝିଆରୀ ପ୍ରାର୍ଥୀ ହୋଇଥିଲେ, ଏବେ ଗୋଟିଏ ପରିବାରର ୩ ଭାଇ ପ୍ରାର୍ଥୀ ହୋଇ ଗାଁ ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି କରିଛନ୍ତି । ୩ ଜଣ ଭାଇ ସମିତି ସଭ୍ୟ ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ତିନି ଭାଇ । କିନ୍ତୁ ସମସ୍ତେ ପ୍ରାର୍ଥୀ । ପୁଣି ଗୋଟିଏ ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି । ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ପଂଚାୟତରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ ।

ବିଧାୟକ ପୂର୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ବାକା ଓ ପୂର୍ଣଙ୍କ ବଡ ଭାଇଙ୍କ ପୁଅ ବିଷ୍ଣୁ ପ୍ରସାଦ ବାକା ଓ ମହେଶ କୁମାର ବାକା ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି । ତେବେ ୨ ବଡ ବାପାଙ୍କ ଭାଇଙ୍କ ବିପକ୍ଷରେ ପ୍ରାର୍ଥୀ ହେବା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ବିଧାୟକଙ୍କ ପୁଅ ତଥା ପ୍ରାର୍ଥୀ ମହେଶ ବାକା ।

ବିଧାନସଭା ନିର୍ବାଚନ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଧାୟକ ଦାଦା ପୂର୍ଣ୍ଣଚନ୍ଦ୍ର ବାକାଙ୍କ ବିରୋଧରେ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ ପ୍ରାର୍ଥୀ ହୋଇ ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣି ବିଧାୟକଙ୍କ ପୁଅ ବିରୋଧରେ ପ୍ରାର୍ଥୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଚାକିରୀ ଛାଡି ପ୍ରାଥୀପତ୍ର ଦାଖଲ କରିଥିବା ବିଷ୍ଣୁ ପ୍ରସାଦ ବାକା । ଆଉ ପଂଚାୟତ ପଲିଟିକ୍ସରେ ବାକା ପରିବାର ଭାଇ-ଭାଇଙ୍କ ଖୋଲା ଲଢ଼େଇ ହେଉଛି ।

ବିଧାୟକଙ୍କ ଝିଅ ତଥା ବିଜେପିର ଜିଲ୍ଲା ପରିଷଦ ସଭ୍ୟ ଶାନ୍ତିଲତା ମାଝି ଓ ବିଧାୟକଙ୍କ ମଧ୍ୟରେ ଜିଲ୍ଲା ପରିଷଦ ବୈ÷ଠକରେ ମୁହାଁମୁହିଁ ଘଟଣା ଚର୍ଚ୍ଚା ସାଉଁଟିଥିଲା । ସେହିପରି ଆଇଟିଡିଏର ସରକାରୀ କାମକୁ କେତେକ ସମ୍ପର୍କୀୟଙ୍କୁ ବାଂଟି ହଟ୍ଟହଟ୍ଟା ହୋଇଥିଲେ ବାକା ପରିବାର । ଏବେ ପଂଚାୟତ ନିର୍ବାଚନରେ ଭାଇ-ଭାଇଙ୍କ ମଧ୍ୟରେ ଲଢେଇ ପୁଣି ବାକା ପରିବାରକୁ ଚର୍ଚ୍ଚା ଆଣିଛି ।