ଓଡ଼ିଶାରେ ହରିୟାଣା ପୋଲିସର ଦବଙ୍ଗଗିରି: ତଦନ୍ତ ବେଳେ ଫଟୋ ଉଠାଇବାରୁ ସାମ୍ବାଦିକଙ୍କ ମୁଣ୍ଡରେ ଲଗାଇଲେ ବନ୍ଧୁକ

122

କନକ ବ୍ୟୁରୋ: ଏକ ଚୋରି ଘଟଣାର ତଦନ୍ତ କରିବାକୁ ଓଡିଶା ଆସିଥିବା ହରିଆଣା ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ଅଭିଯୁକ୍ତ ସମେତ ପରିବାରର ସମସ୍ତଙ୍କ ଉଠାଇ ନେଇଥିବା ପୋଲିସକୁ ଛାଡିଦେବାକୁ ଗ୍ରାମବାସୀ ନେହୁରା ହେବାରୁ ବନ୍ଧୁକ ଦେଖାଇ ଡରାଇଛି ହରିୟାଣା ପୋଲିସ । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ବି ଛାଡି ନଥିଲା ।

ବାଲେଶ୍ୱର ଖନ୍ତାପଡା ଥାନାରୁ ଆସିଛି ଅଭାବନୀୟ ଦୃଶ୍ୟ । କୌଣସି ଏକ ମାମଲାରେ ଅଭିଯୁକ୍ତକୁ ଧରିବା ପାଇଁ ଓଡିଶା ଆସିଥିବା ହରିୟାଣା ପୁଲିସର ଏକ ଟିମ୍ ଖନ୍ତାପଡା ଥାନାରେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲେ । ଏପରକିକି ଫଟୋ ଉଠାଉଥିବା ଜଣେ ସାମ୍ବାଦିକଙ୍କୁ ବି ମାଡ ମାରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଏକ ମାମଲାରେ ଅଭିଯୁକ୍ତ ଥିବା ଜଣେ ଯୁବକଙ୍କୁ ଖୋଜିବା ପାଇଁ ଖନ୍ତାପଡାର ସଠି ଗାଁକୁ ଯାଇଥିଲେ ହରିୟାଣା ପୋଲିସ । ଆଉ ଗାଁରୁ ଜଣେ ମହିଳା, ଜଣେ ନାବାଳିକା ଓ ଜଣେ ଯୁବକଙ୍କୁ ଧରି ଖନ୍ତାପଡା ଥାନାକୁ ଆଣିଥିଲା । ଖବର ପାଇ ପଛେପଛେ ଥାନାରେ ପହଁଚିଯାଇଥିଲେ ଗ୍ରାମବାସୀ । ଆଉ ସେମାନଙ୍କୁ ଛାଡି ଦେବାକୁ ଅନୁରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀମାନଙ୍କୁ ଆକ୍ରମଣ କରିଥିଲା ହରିୟାଣା ପୋଲିସ ।

ଥାନା ପରିସରରେ ଉତେଜନା ସୃଷ୍ଟି ହେବା ପରେ ଏସଡିପିଓ ଘଟଣାସ୍ଥଳରେ ପହଁଚି ଉଭୟ ପକ୍ଷଙ୍କୁ ବୁଝୁସୁଝା କରିଥିଲେ । ହରିୟାଣା ପୋଲିସ ଏଭଳି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଉଠାଇ ଆଣିଥିବା ତିନି ଜଣଙ୍କୁ ନୋଟିସ ଦେଇ ଛାଡି ଦେଇଥିବା ଜଣାପଡିଛି । ତେବେ ପ୍ରଶ୍ନ ଉଠୁଛି ଉତେଜନା ସମୟରେ ଖନ୍ତାପଡା ଥାନା ପୋଲିସ କୁଆଡେ ଯାଇଥିଲେ?