ସତ୍ୟବାଦୀରେ ଗାଏବ ହୋଇଗଲା କଂଗ୍ରେସ । ଜିଲ୍ଲା ପରିଷଦ ପାଇଁ ଜଣେ ବି ଦଳୀୟ ପ୍ରାର୍ଥୀ କଲେ ନାହିଁ ନାମାଙ୍କନ

204

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଚର୍ଚ୍ଚାରେ ପୁରୀର ସତ୍ୟବାଦୀ । ଦିନେ କଂଗ୍ରେସର ଗଡ କୁହାଯାଉଥିବା ସତ୍ୟବାଦୀରେ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ନ ଦେବା ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ତେବେ କେବଳ ଗୋଟିଏ ଜୋନରେ ଯିଏ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ତାହା ମଧ୍ୟ ବିଳମ୍ବର ହୋଇଥିବାରୁ ଏହାକୁ ଗ୍ରହଣ କରାଯାଇନାହିଁ । ତେଣୁ ସେ ସ୍ୱାଧୀନ ଭାବେ ଲଢିବେ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ତେବେ ସତ୍ୟବାଦୀ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନିର୍ବାଚନମଣ୍ଡଳୀ ହୋଇଥିବାରୁ କାହିଁକି କଂଗ୍ରେସ ପ୍ରାର୍ଥୀ ଦେଇନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ପୁରୀ ଜିଲ୍ଲାର କଂଗ୍ରେସ ଗଡ କହିଲେ ଦିନେ ସତ୍ୟବାଦୀକୁ ବୁଝାଉଥିଲା । କିନ୍ତୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ଆଗଧାଡିରେ ନେତା ପ୍ରସାଦ ହରିଚନ୍ଦନଙ୍କ ଗଡରେ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ନ ଦେବା ଅନେକ ଚର୍ଚ୍ଚା ସୃଷ୍ଟି କରିଛି । ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଗାଁରେ କଂଗ୍ରେସ କର୍ମୀ ଭର୍ତ୍ତି ହୋଇ ରହିଛନ୍ତି । କିନ୍ତୁ ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀ ନଦେବା କର୍ମୀଙ୍କୁ ନିରାଶ କରିଛି । କିନ୍ତୁ ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତି ସତ୍ୱେ କିଭଳି ସତ୍ୟବାଦୀ କଂଗ୍ରେସ ଶୂନ୍ୟ ହେଲା ତାହା ରାଜନୀତିରେ ଅନେକ ଝଡ ସୃଷ୍ଟି କରିଛି ।

ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ସତ୍ୟବାଦୀ ଓ କଣାସ ନିର୍ବାଚନଣ୍ଡଳୀରେ ୫୨ ପଞ୍ଚାୟତ ରହିଛି । କଣାସ ବ୍ଲକର ୩ଟି ଓ ସତ୍ୟବାଦୀ ବ୍ଲକରେ ୩ଟି ଜିଲ୍ଲାପରିଷଦ ଜୋନ ରହିଛି । ତେବେ ଗୋଟିଏ ଜୋନକୁ ବାଦ ଦେଲେ ଅନ୍ୟ କୌଣସି ଜୋନରୁ ଜଣେ ବି ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ଯିଏ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସିଏ ବିଳମ୍ବରେ ଦଳୀୟ ଟିକେଟ ଦେବାରୁ ପ୍ରଶାସନ ଏହାକୁ ଗ୍ରହଣ କରିନାହିଁ । ତେଣୁ ସେ ସ୍ୱାଧୀନ ଭାବେ ଲଢିବେ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସାଦ ହରିଚନ୍ଦନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । କିନ୍ତୁ ପ୍ରସାଦଙ୍କ ନୀରବତା ଅନେକ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

କୁହାଯାଉଛି ସତ୍ୟବାଦୀରେ ଅନେକ ଛାମୁଆ ନେତା ଦଳ ଛାଡିଦେଇଛନ୍ତି । ହେଲେ ପ୍ରଶ୍ନ ଉଠୁଛି…

  • ତୃଣମୂଳ ନେତାଙ୍କ ଦଳତ୍ୟାଗ କଂଗ୍ରେସକୁ ଦୁର୍ବଳ କରିଛି କି?
  • ପ୍ରସାଦ ହରିଚନ୍ଦନଙ୍କ ପାଇଁ ଏଭଳି ଘଟିଲା କି?
  • ପିସିସି ସହିତ ପ୍ରସାଦଙ୍କ ମତାନ୍ତର ରହିଛି କି?