ଗଙ୍ଗାନଦୀର ବ୍ରହ୍ମକୁଣ୍ଡରେ ଲୀନ ହେଲେ ଅଟଳ ! ବିରାଟ ଶୋଭାଯାତ୍ରାରେ ହେଲା ବାଜପେୟୀଙ୍କ ଅସ୍ଥି ବିସର୍ଜନ, ଏପଟେ ପାଳିତ ଝିଅ ନମିତା ମୁଖାଗ୍ନି ଦେବା ନେଇ ଚର୍ଚ୍ଚା ।

34

କନକ ବ୍ୟୁରୋ : ବ୍ରହ୍ମକୁଣ୍ଡରେ ଲୀନ ହେଲେ ବାଜପେୟୀ । ହରିଦ୍ୱାର ସ୍ଥିତ ଗଙ୍ଗା ନଦୀର ବ୍ରହ୍ମକୁଣ୍ଡରେ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯାଇଛି । ବାଜପେୟୀଙ୍କ ଦେହାବଶେଷକୁ ଗଙ୍ଗାରେ ବିସର୍ଜନ କରିଛନ୍ତି ପାଳିତା କନ୍ୟା ନମିତା ଭଟ୍ଟାଚାର୍ଯ୍ୟ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ବାଜପେୟୀଙ୍କୁ ଶେଷ ବିଦାୟ ଜଣାଇଛନ୍ତି । ହଜାର ହଜାର ଜନତା ମଧ୍ୟ ଗଙ୍ଗା ନଦୀର ପୌଡିଘାଟରେ ଉପସ୍ଥିତ ରହି ନିଜର ପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ହରିଦ୍ୱାରର ଭଲ୍ଲା କଲେଜ୍ ଗ୍ରାଉଣ୍ଡରୁ ବାଜପେୟୀଙ୍କ ଅସ୍ଥି କଳସକୁ ଏକ ସୁସଜ୍ଜିତ ଟ୍ରକରେ ବିରାଟ ଶୋଭାଯାତ୍ରାରେ ଗଙ୍ଗା ନଦୀର ପୌଡି ଘାଟକୁ ନିଆଯାଇଥିଲା । ଡେରାଡୁନରୁ ୨ ଶହ ବସରେ ଆସିଥିବା ୧୫ ହଜାରରୁ ଅଧିକ ବିଜେପି କର୍ମକର୍ତ୍ତ ମଧ୍ୟ ଅସ୍ଥି କଳସ ଯାତ୍ରାରେ ସାମିଲ ହୋଇ ଗଙ୍ଗା ଘାଟକୁ ଚାଲି ଚାଲି ଯାଇଥିଲେ । ଏହା ପୂର୍ବରୁ ଆଜି ସକାଳେ ଅନ୍ତିମ ସଂସ୍କାର ହୋଇଥିବା ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରୁ ବାଜପେୟୀଙ୍କ ଅସ୍ଥି ସଂଗ୍ରହ କରାଯାଇଥିଲା । ଶେଷରେ ଗଙ୍ଗା ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରା ଯାଇଛି ।

ସେପଟେ ଦିଲ୍ଲୀର ସ୍ମୃତିସ୍ଥଳରେ ଯେତେବେଳେ ଦେଶର ଜଣେ ମହାନାୟକଙ୍କୁ ସାରା ଦେଶ କାନ୍ଦି କାନ୍ଦି ବିଦାୟ ଦେଉଥାଏ, ସେତେବେଳେ ଆଉ ଏକ ଦୃଶ୍ୟ ଭାରତୀୟ ସମାଜ ପାଇଁ ନୂଆ ଉଦାହରଣ ସୃଷ୍ଟି କରୁଥାଏ । ବାଜପେୟୀଙ୍କ ପାଳିତ କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ଅନ୍ତିମ ସଂସ୍କାର କରୁଥାଆନ୍ତି ଏବଂ ଶେଷରେ ମୁଖାଗ୍ନି ଦେଇ ଏହି ପରମ୍ପରାକୁ ସଂପନ୍ନ କରୁଥାଆନ୍ତି ।

ମଧୁମିତା ମହାନ୍ତି । ଜଣେ ଅଭିନେତ୍ରୀ ଭାବେ ଜଣାଶୁଣା ଏହି ମହିଳା ମଧ୍ୟ ୧୨ ବର୍ଷ ପୂର୍ବରୁ ଏହି ଅନ୍ଧବିଶ୍ୱାସ ବିରୋଧରେ ଲଢେଇ କରି ତାଙ୍କ ବାପା ତଥା ଜଣେ ବରିଷ୍ଠ ଲେଖକ ଶରତ ମହାନ୍ତିଙ୍କ ଅନ୍ତିମ ସଂସ୍କାରରେ ମୁଖାଗ୍ନି ଦେଇଥିଲେ । ବାଜପେୟୀଙ୍କୁ ତାଙ୍କ ପାଳିତା ଝିଅ ମୁଖାଗ୍ନି ଦେବା ଘଟଣା ଓଡିଶାରେ ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ଏବଂ ଏହାକୁ ବେଶ ଗୁରୁତ୍ୱ ଦେଇଛନ୍ତି ସଂସ୍କାରରେ ବିଶ୍ୱାସ ରଖୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ।