ପାଖେଇ ଆସିଲା ତିତଲି । ଗୋପାଳପୁରରେ ୧୦୦ କିମିରୁ ଅଧିକ ବେଗରେ ବହୁଛି ପବନ, ଡରାଉଛି ବର୍ଷା

54

କନକ ବ୍ୟୁରୋ : ଓଡିଶା ଉପକୂଳ ଆଡକୁ ମୁହାଁଉଛି ତିତଲି । ଗୋପାଳପୁର ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି ତିତଲି । ଆଉ ଏହାର ପ୍ରଭାବରେ ଏବେଠାରୁ ଗୋପାଳପୁର ଠାରେ ଭୟଙ୍କର ପବନ ବହିବା ଆରମ୍ଭ ହୋଇଛି । ସମୁଦ୍ର କୂଳ ଅଞ୍ଚଳରେ ୧୦୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ଆରମ୍ଭ ହୋଇଛି । ଏହାଛଡା ପ୍ରବଳ ବର୍ଷା ମଧ୍ୟ ଗୋପାଳପୁର ଠାରେ ଆରମ୍ଭ ହୋଇଛି ।ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଘଣ୍ଟାକୁ ୧୪ କିଲୋମିଟର ବେଗରେ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ତିତଲି । ତେବେ ରାତି ୧୧.୩୦ ପରେ ଏହି ବାତ୍ୟାର ପ୍ରକୋପ ଅଧିକ ଅନୁଭୂତ ହେବ । ଏପରିକି ତିତଲି ଉପକୂଳ ଆଡକୁ ଯେତିକି ପାଖେଇ ଆସିବ ପବନ ଓ ବର୍ଷାର ପରିମାଣ ସେତିକି ଅଧିକ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଗୋପାଳପୁରରେ ଥିବା ଡପଲର ରାଡାର ରେଂଜରେ ରହିଛି ‘ତିତଲି’ । ତେବେ ଏହା ଆସନ୍ତାକାଲି ସକାଳ ୫ଟାରୁ ୧୧.୩୦ଟା ମଧ୍ୟରେ ଉପକୂଳ ଛୁଇଁବ । ଆଉ ସ୍ଥଳଭାଗ ଛୁଇଁବା ପରେ ୪ ଘଣ୍ଟା ବାତ୍ୟାର ପ୍ରଭାବ ରହିବ ବୋଲି ସୂଚନା ମିଳିଛି ।