ତାତିରୁ ମିଳିଲା ତ୍ରାହି ! ଘୂର୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା, ୧୩ ତାରିଖ ଯାଏ ରହିବ କାଳବୈଶାଖୀର ପ୍ରଭାବ 

107

କନକ ବ୍ୟୁରୋ : ତାତିରୁ ମିଳିଲା ତ୍ରାହି । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି । ଉତରପୂର୍ବ ଝାଡଖଣ୍ଡରେ ଘୂର୍ଣି ବଳୟ ଯୋଗୁ ଏହି ବର୍ଷା ହୋଇଥିବା କହିଛି ଆଂଚଳିକ ପାଣିପାଗ ବିଭାଗ । ବର୍ଷା ଓ ପବନ ଫଳରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି । ଆସନ୍ତା ୧୩ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।

ଗୁରୁବାରଠାରୁ ପଶ୍ଚିମ ଓଡ଼ିଶାକୁ ଛାଡ଼ି ସାରା ଓଡ଼ିଶାରେ ବଢ଼ିବ କାଳବୈଶାଖୀର ତାଣ୍ଡବ । ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଜିଲ୍ଲାରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏଥିସହ ଉପକୂଳ, ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ଆଶଙ୍କା ରହିଛି । ଢେଙ୍କାନାଳ ସମେତ ଅନୁଗୁଳ, ଯାଜପୁର, ଗଞ୍ଜାମ, ଦେବଗଡ଼, ଗଜପତି, ମାଲକାନଗିରି, କୋରାପୁଟ, ଖୋର୍ଧା, ନୟାଗଡ଼, ପୁରୀ ଜିଲ୍ଲାବାସୀଙ୍କୁ ବି ସତର୍କର୍ କରାଯାଇଛି । ଅପରାହ୍ଣ ୩ଟା ପରେ କାଳବୈଶାଖୀ ଦେଖିବାକୁ ମିଳିବ। କେତେକ ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ସହ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଉପକୂଳ ଓଡ଼ିଶାରେ ଗତକାଲି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ଝଡ଼ବର୍ଷା ହୋଇଛି । କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳି ନ ଥିବା ବେଳେ ରିପୋର୍ଟ ଲେଖା ହେଲା ବେଳକୁ ୩ ମି.ମି. ବର୍ଷା ହୋଇଥିବା ଜଣାପଡ଼ିଛି । ସହରର କେତେକ ସ୍ଥାନରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ସେହିପରି କେନ୍ଦୁଝରରେ ବି ବର୍ଷା ହୋଇଛି । ଏଠାରେ ୩୩ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୨୭ ମି.ମି., ଅନୁଗୁଳରେ ୧୯ ମି.ମି., କୋରାପୁଟରେ ୯ ମି.ମି., ମାଲକାନଗିରିରେ ୮ ମି.ମି. ବର୍ଷା ହୋଇଛି। କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ କି.ମି. ବେଗରେ ପବନ ହୋଇଥିବା ନେଇ ସୂଚନା ମିଳିଛି ।

ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଅପରାହ୍ଣ ସମୟରେ କାଳବୈଶାଖୀ ହୋଇପାରେ । କେତେକ ସ୍ଥାନରେ ପବନର ବେଗ ୬୦ କି.ମି. ଟପିବାର ବି ଆଶଙ୍କା ରହିଛି। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ପ୍ରଭାବ ପଡ଼ିବ। ଦିନରେ ତାପମାତ୍ରା ୩୦ରୁ ୩୫ ଡିଗ୍ରି ମଧ୍ୟରେ ରହିବ ।

୬ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ପଡ଼ିବାକୁ ଥିବା ବେଳେ ୭ରେ ଉତ୍ତର ଓଡ଼ିଶା, ୮ରେ ଖୋର୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲା, ୯ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି । ୧୧ ତାରିଖ ଯାଏ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଥିବା କୁହାଯାଇଛି । ଏପ୍ରିଲ ୧୪ ଯାଏ ତାପମାତ୍ରା ବଢ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି । ଆଜି ପୁଣିଥରେ ଟିଟିଲାଗଡ଼ର ତାପମାତ୍ରା ୪୧ ଡିଗ୍ରି ଛୁଇଁଛି । ବଲାଙ୍ଗୀରରେ ମଧ୍ୟ ୪୦.୩, ସୋନପୁରରେ ୩୯.୪, ସମ୍ବଲପୁର, ଭବାନୀପାଟଣା ଓ ହୀରାକୁଦରେ ୩୮ ଡିଗ୍ରି ରହିଥିଲା ।