କନକ ବ୍ୟୁରୋ : ବିଏମସି ଅଧିକାରୀଙ୍କ ଅବହେଳାରୁ ପୁଣି ଏବେ ରାଜଧାନୀବାସୀ ହଇରାଣ ହେବାକୁ ଯାଉଛନ୍ତି । ଏପ୍ରିଲ ୧ରୁ ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ କରିବାକୁ ବିଏମ୍ସି ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ତାହାକୁ ଆରମ୍ଭ କରିବାରେ ବିଫଳ ହୋଇଛି । ବିଏମ୍ସି କର୍ତୃପକ୍ଷ ପ୍ରତିଶ୍ରୁତି ରଖିବାରେ ବିଳମ୍ବ ହୋଇଥିଲେ ହେଁ ରାଜସ୍ୱ ଆଦାୟର ନିଶା ଗ୍ରାସିଥିବାରୁ ପୁଣି ପୁରୁଣା ବ୍ୟବସ୍ଥାରେ ପାର୍କିଂସ୍ଥଳୀ ନିଲାମି ଡକା ଆରମ୍ଭ ହୋଇଛି । ଆଜିଠାରୁ ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନ୍ର ୩୩ଟି ପାର୍କିଂସ୍ଥଳୀ ପାଇଁ ନିଲାମ ଡକା ଆରମ୍ଭ ହୋଇଛି । ବିଏମ୍ସି ଅଧିକାରୀ ନିଜ ତ୍ରୁଟିକୁ ଲୁଚାଇବାକୁ ଏବେ ରାଜଧାନୀବାସୀଙ୍କ ଉପରେ ପାର୍କିଂ ଫି’ ବୋଝ ଲଦିବାକୁ ନିଷ୍ପତ୍ତି ନେଇଛନ୍ତି ।
ରାଜଧାନୀର ୬୪ଟି ପାର୍କିଂସ୍ଥଳୀକୁ ୫ଟି ପ୍ୟାକେଜ୍ରେ ବିଭକ୍ତ କରି ରାଜଧାନୀବାସୀଙ୍କ ଉପରୁ ପାର୍କିଂ ବୋଝ କମାଇବାକୁ ବିଏମ୍ସି ଯୋଜନା କରିଥିଲା । ପାର୍କିଂ ଫି’କୁ ନେଇ ରାଜଧାନୀରେ ନିଇତି ଗଣ୍ଡଗୋଳ ହେଉଥିବାରୁ ଲୋକଙ୍କ ଉପରୁ ପାର୍କିଂ ବୋଝ କମାଇବାକୁ ନୂଆ ପାର୍କିଂ ବ୍ୟବସ୍ଥା ଲାଗୁ କରିବାକୁ ୪ମାସ ତଳେ ନିଷ୍ପତ୍ତି ହେଲା । ଏପରିକି ଏହି ଯୋଜନାକୁ ବିଏମ୍ସି କାଉନସିଲ୍ ବୈଠକରେ ପାରିତ କରାଗଲା। କିନ୍ତୁ କର୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏହି ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ ହୋଇପାରିଲାନି । ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ ହୋଇ ନପାରିବା ନେଇ ବିଏମ୍ସିର ଡେପୁଟି କମିସନର୍ ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ଆମେ ପୂରା ରାଜଧାନୀକୁ ୫ଟି ପାର୍କିଂ ପ୍ୟାକେଜ୍ରେ ବିଭକ୍ତ କରି ଟେଣ୍ଡର୍ ଡାକିଥିଲୁ । କିନ୍ତୁ ଏହାର ଅପସେଟ୍ ମୂଲ୍ୟ ଅଧିକ ହେଉଥିବା ଅଭିଯୋଗ କରି ବିଡର୍ମାନେ ଭାଗ ନେଲେନି । ବିଏମ୍ସିର ତିନିଟି ଜୋନ୍କୁ ୫ଟି ପ୍ୟାକେଜ୍ରେ ବଣ୍ଟା ଯାଇଥିଲେ ହେଁ ଏଥିରୁ କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳ ପାଇଁ ନିଲାମୀ ହୋଇପାରିଥିଲା । ଏହାକୁ ଏପ୍ରିଲ ୧ରୁ ଲାଗୁ ହୋଇଛି । କିନ୍ତୁ ବାକି ୪ଟି ପ୍ୟାକେଜ୍ ପାଇଁ କେହି ବିଡର୍ ଭାଗ ନ ନେବାରୁ ଏଠାରେ ନୂଆ ପାର୍କିଂ ବ୍ୟବସ୍ଥା ଲାଗୁ ହେବନି ।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ବାକି ଚାରିଟି ପ୍ୟାକେଜ୍କୁ ୬ଟି ପ୍ୟାକେଜ୍ କରାଯାଇପାରେ । ଏଥିରେ ଜନପଥକୁ ପୂର୍ବରୁ ଯେପରି ଦୁଇଟି ପ୍ୟାକେଜ୍ କରାଯାଇଥିଲା ସେହିପରି ରଖାଯିବ । ଏହାବାଦ୍ ୟୁନିଟ-୨ ପାର୍ଶ୍ୱ ଅଞ୍ଚଳକୁ ନେଇ ଗୋଟିଏ ପ୍ୟାକେଜ୍, ୟୁନିଟ-୧ ପାର୍ଶ୍ୱ ଅଞ୍ଚଳକୁ ନେଇ ଆଉ ଏକ ପ୍ୟାକେଜ୍ କରାଯିବ । ଏହାପରେ ଦକ୍ଷିଣ ପଶ୍ଚିମ ଜୋନ୍ରେ ଏବେ ହୋଇଥିବା ଗୋଟିଏ ପ୍ୟାକେଜ୍କୁ ଦୁଇଟି ପ୍ୟାକେଜ୍ରେ ବିଭକ୍ତ କରାଯିବ । ଏହାଦ୍ୱାରା ପ୍ୟାକେଜ୍ଗୁଡ଼ିକର ଅପସେଟ୍ ମୂଲ୍ୟ କମିଯିବ। ବିଡର୍ମାନେ ଭାଗ ନେବେ ବୋଲି ଆଶା କରୁଛୁ । ବିଏମ୍ସିର ଯୋଜନା ଅନୁଯାୟୀ, ଏବେ ହୋଇଥିବା ପ୍ୟାକେଜ୍ ୩ରେ ଦକ୍ଷିଣ ପୂର୍ବ ଜୋନ୍ର ୟୁନିଟ-୧ ହାଟ, ପ୍ରଦର୍ଶନୀ ପଡ଼ିଆ, କର କ୍ଲିନିକ, ବିଗ୍ ବଜାରରୁ ଆରମ୍ଭ କରି ସଚିବାଳୟ ମାର୍ଗରେ ଥିବା ପାର୍କିଂ ସ୍ଥଳୀ, ଜନପଥରୁ ସଚିବାଳୟ ମାର୍ଗ ମଧ୍ୟରେ ଥିବା ପାର୍କିଂ ସ୍ଥଳୀ, ୟୁନିଟ-୪ ଅଞ୍ଚଳ ଭଳି ୧୮ଟି ପାର୍କିଂସ୍ଥଳୀ ରହିଛି । ଏହାର ଟେଣ୍ଡର ଅପସେଟ୍ ମୂଲ୍ୟ ୨କୋଟି ୪୭ଲକ୍ଷ ୮୪ହଜାର ୩୩୫ଟଙ୍କା ରହିଥିଲା ।
ତେଣୁ ଏହାକୁ ଦୁଇଟି ପ୍ୟାକେଜ୍ କରାଯିବ । ସେହିପରି ପ୍ୟାକେଜ୍ ୪ରେ ଦକ୍ଷିଣ ପଶ୍ଚିମ ଜୋନ୍ର ସମ୍ ହସପଟାଲରୁ ଆରମ୍ଭ କରି ଖଣ୍ଡଗିରି-ଫାୟାରଷ୍ଟେସନ- ହୋଟେଲ କ୍ରାଉନ- ଜୟଦେବ ବିହାର ଛକରୁ ପାଓ୍ଵାର ହାଉସ୍ ଛକ, ଆମ୍ରି ହସ୍ପିଟାଲ, ମଧୁସୂଦନ ପାର୍କ ଭଳି ଅଞ୍ଚଳକୁ ଆଦି ୧୨ଟି ପାର୍କିଂ ସ୍ଥଳୀ ଅଛିି । ଏହାର ଟେଣ୍ଡର ଅପସେଟ୍ ମୂଲ୍ୟ ୫୮ଲକ୍ଷ ୩୯ହଜାର ୨୮ଟଙ୍କା ରହିଥିଲା । ଏହାକୁ ଦୁଇଟି ପ୍ୟାକେଜ୍ରେ ବିଭକ୍ତ କରିବାକୁ ଯୋଜନା ହୋଇଛି । ନୂଆ ପାର୍କିଂ ପ୍ୟାକେଜ୍ ଚିହ୍ନଟ, ଟେଣ୍ଡର ପ୍ରକ୍ରିୟା, ଅର୍ଥ ଜମା, ବିଡର୍ଙ୍କୁ ପାର୍କିଂ ସ୍ଥଳୀ ହସ୍ତାନ୍ତର ପାଇଁ ପ୍ରାୟ ୩ମାସ ସମୟ ଲାଗିବ । ତେଣୁ ଆମେ ଏବେ ୩ମାସ ପାଇଁ ପୂର୍ବ ଭଳି ନିଲାମୀ ପ୍ରକ୍ରିୟା ଆରମ୍ଭ କରିଛୁ । ଏହାଦ୍ୱାରା ବିଏମ୍ସି ପ୍ରାୟ ୮୭ଲକ୍ଷ ଟଙ୍କା ରାଜସ୍ୱ ପାଇବ । ଏହାପରେ ଜୁଲାଇ ମାସରୁ ନୂଆ ପାର୍କିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛୁ ।
ଅପରପକ୍ଷେ ଏହି ପାର୍କିଂସ୍ଥଳୀଗୁଡ଼ିକୁ ଖାଲି ଛାଡ଼ିଦେଲେ ଟ୍ରାଫିକ୍ ଉପରେ ପ୍ରଭାବ ପଡ଼ିବ । ବିଏମ୍ସି ପାଖରେ ପାର୍କିଂ ସ୍ଥଳୀ ପରିଚାଳନା ପାଇଁ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଏହାକୁ ନିଲାମ କରାଯାଉଛି । ୪ଟି ପାର୍କିଂ ପ୍ୟାକେଜ୍କୁ ୬ଟି ପାର୍କିଂ ପ୍ୟାକେଜ୍ କଲେ ବି ଅପସେଟ୍ ମୂଲ୍ୟ ଅଧିକ ରହିବ । ଏହାକୁ କମାଇବାକୁ ବିଡର୍ମାନେ କହୁଥିଲେ ହେଁ ଏହାକୁ କମାଇବା ସମ୍ଭବ ନୁହେଁ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପସେଟ୍ ମୂଲ୍ୟ କମାଇଲେ ସିଏଜି ଅଡିଟ୍ ସମୟରେ ଆମେ ଅସୁବିଧାର ସମ୍ମୁଖୀନ ହେବୁ । ତେଣୁ ଯଦି ତିନି ଥର ଟେଣ୍ଡର୍ ପ୍ରକ୍ରିୟାରେ କେହି ବିଡର୍ ଭାଗ ନନେବେ ତେବେ ଅପସେଟ୍ ମୂଲ୍ୟ କମାଯାଇପାରେ ।