ଯିଏ ପାରିଲା ସିଏ ପିଟିଲା: ଭୁଲ କଣ ନବୁଝି ରସୁଲଗଡ଼ ଓଭରବ୍ରିଜ ଉପରେ ଗାଡି ଡ୍ରାଇଭରଙ୍କୁ ପିଟି ରକ୍ତାକ୍ତ କଲେ ଲୋକେ ।

1,132

କନକ ବ୍ୟୁରୋ: ଯିଏ ପାରିଲା ସିଏ ପିିଟିଲା, ଯିଏ ଆସିଲା ସିଏ ଛେଚିଲା । ବିଧା, ଗୋଇଠା, ଚାପୁଡ଼ା ଠାରୁ ମୁଥ ମରା ଯାଏ ଯିଏ ଯେମିତି ପାରୁଥିଲା ସେମିତି ପିଟୁଥିଲା । କିଏ ଚୁଟି ଝିଙ୍କୁଥିଲା ତ କିଏ ହେଲମେଟରେ ବାଡଉଥିଲା । ରାଜଧାନୀ ଛାତି ଉପରେ ଅତି ନିର୍ମମ ଭାବେ ଚାଲିଥିଲା ଏଇମିତି ଆକ୍ରମଣ ।

ସମୟ ପ୍ରାୟ ଦିନ ଗୋଟାଏ ହେବ । ରସୁଲଗଡ ଓଭରବ୍ରିଜ ଉପରେ ହଠାତ ଜମିଗଲା ଭିଡ । ସମସ୍ତେ ବ୍ରିଜ କଡରେ ଗାଡି ରଖି ଦେଇ ଧାଉଁଥିଲେ ଡିଭାଇଡର ସେପାଖରେ ଜମିଥିବା ଭିଡ ଆଡକୁ । ଡିଭାଇଡରକୁ ଲାଗି ଛିଡା ହୋଇଥିଲା ଗୋଟେ ପିକଅପ ଭ୍ୟାନ । ଆଉ ଉକ୍ତ ଭ୍ୟାନକୁ ପିଟି ଭାଙ୍ଗୁଥିଲେ ଉତ୍ତ୍ୟକ୍ତ ଲୋକେ । କେହି କିଛି ବୁଝୁ ନଥିଲେ ସମସ୍ତେ ଆସୁଥିଲେ ଭଙ୍ଗାରୁଜା କରୁଥିଲେ ।

ସେତିକିରେ ଥମି ନଥିଲା ଲୋକଙ୍କ ରାଗ । ଗାଡିକୁ ଆଉଜି ଛିଡା ହୋଇଥିବା ଡ୍ରାଇଭରକୁ ବି ଛାଡି ନଥିଲେ ଲୋକେ । ଯେତେ ନେହୁରା ହେଲେ ବି, ହାତ ଯୋଡି ଯେତେ କାକୁତି ମିନତି ହେଲେ ବି ଡ୍ରାଇଭରର କଥା ଶୁଣିବାକୁ ନାରାଜ ଥିଲେ ଲୋକେ । ଡ୍ରାଇଭରକୁ ଗୋଡେଇ ଗୋଡେଇ, ଡିଭାଇଡର ପାଖରେ ଥିବା ଏକ ଖୁଣ୍ଟରେ ବାନ୍ଧି ବାଡେଇଥିଲେ ଲୋକେ । ତେବେ ମାଡ ପଛର କାରଣ ବୁଝିବାରୁ ଜଣାପଡିଲା କି ଉକ୍ତ ଡ୍ରାଇଭର ଜଣଙ୍କ ଗାଡିକୁ ଖୁବ ଜୋରରେ ଚଲାଇ ଆସୁଥିଲେ । କଟକ ଆଡୁ ବିଦ୍ୟୁତ ତାର ବୋଝେଇ ପିକ ଅପ ଭ୍ୟାନ ଧରି ଦ୍ରୁତ ଗତିରେ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ଫୁଲନଖରା ଓ ପଳାଶୁଣୀ ବ୍ରିଜରେ ୨ରୁ ୩ ଜଣଙ୍କୁ ଧକ୍କା ଦେଇ ଆସିଥିଲେ । ଦ୍ରୁତ ଗତିରେ ଆସୁଥିବା ବେଳେ ଜଣଙ୍କୁ ମାରି ଦେଇଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ତେଣୁ ଏହିସବୁ କାରଣ ଡ୍ରାଇଭରକୁ ବିଚ ରାସ୍ତାରେ ବାଡେଇ ରକ୍ତାକ୍ତ କରିଛନ୍ତି ଲୋକେ ।

ତେବେ ମାଡ ମାରୁଥିବା କିଛି ଲୋକଙ୍କୁ ଅଟକାଇବାରେ ବ୍ୟସ୍ତ ଥିଲେ ଲୋକେ । ଡ୍ରାଇଭରକୁ ଛାଡି ଦେବାକୁ ଆଉ ପୋଲିସକୁ ଖବର ଦେବାକୁ ଜଣେ ମହିଳା ଜିଦ ଧରି ବସିଥିଲେ ବି ମହିଳା ଜଣଙ୍କୁ ଗାଳିଗୁଲଜ କରିଥିଲେ କିଛି ଲୋକ । ଆଉ ଶେଷରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଆଉ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ତେବେ ଏହି ଘଟଣାରୁ ଗୋଟିଏ ପ୍ରଶ୍ନ ମନକୁ ଆସୁଛି କି, ଧରନ୍ତୁ ସେ ଡ୍ରାଇଭର ଭୁଲ କରିଛନ୍ତି, ସେ ଦ୍ରୁତ ଗତିରେ ଗାଡି ଚଳାଇ ୩ରୁ ୪ ଜଣଙ୍କୁ ଧକ୍କା ଦେଇଛନ୍ତି ମାତ୍ର ଲୋକେ ଗାଡି ଅଟକାଇ ତାଙ୍କୁ ମାରିବା କେତେ ଯୁକ୍ତିଯୁକ୍ତ ? ଆଇନକୁ ହାତକୁ ନେବା କେତେ ଠିକ ? ଭୁଲ ବୁଝିବା ଆଗରୁ ମଣିଷପଣିଆ ଭୁଲି ପଶୁ ଭଳି ପିଟିବା କେତେ ଠିକ ?