ବାଜିଲା ରାଜ୍ୟସଭା ବିଗୁଲ : କାହା ନାମରେ ମୋହର ମାରିବେ ସୁପ୍ରିମୋ

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି

164

କନକ ବ୍ୟୁରୋ : ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି । ଆସନ୍ତା ୨୫ ତାରିଖ ହେଉଛି ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ । ଜୁନ ୨୬ରେ ନାମାଙ୍କନପତ୍ର ଯାଂଚ ହେବ । ୨୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ଜୁଲାଇ ୫ ତାରିଖ ହେଉଛି ଭୋଟିଂ । ରାଜ୍ୟସଭା ନିର୍ବାଚନ ପରିଚାଳନା ପାଇଁ ରିଟର୍ଣ୍ଣିଂ ଅଫିସର ଭାବେ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ । କିଏ ଯିବ ରାଜ୍ୟସଭା? ଆରମ୍ଭ ହେଲା କାଉଂଟଡାଉନ । ରାଜ୍ୟସଭା ପାଇଁ ୩ ଚେହେରା କିଏ? କାହା ନାଁରେ ମୋହର ମାରିବେ ବିଜେଡି ସୁପ୍ରିମୋ?

୩ ରାଜ୍ୟ ସଭା ଆସନ, ସଂଖ୍ୟା ଦୃଷ୍ଟିରୁ ବିଜୁ ଜନତା ଦଳ ଅକ୍ତିଆର କରିବ । ଆଉ ରାଜ୍ୟସଭା ବିଜ୍ଞପ୍ତି ପରେ ଏବେ ବିଜେଡିର ସର୍ବୋଚ୍ଚ କ୍ଷମତା କେନ୍ଦ୍ରରେ ଆରମ୍ଭ ହୋଇଯାଇଛି ଜୋରଦାର ଲବି । ୨୦୧୯ ନିର୍ବାଚନରେ ଟିକେଟ୍ରୁ ବଂଚିତ ଥିବା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉପଟ୍ଟନାୟକ ଆଶାବାନ୍ଧି ବସିଛନ୍ତି । କାରଣ ନିର୍ବାଚନ ସମୟରେ ଏହି ୨ ନେତାଙ୍କୁ ପ୍ରତିଶୃତି ଦେଇଥିଲେ ଦଳର ମୁଖିଆ । କିନ୍ତୁ ଏହାରି ଭିତରେ ଅନେକ ନେତା ମଧ୍ୟ ରେସରେ ଅଛନ୍ତି । ପୂର୍ବତନ ସାଂସଦ ରବିନ୍ଦ୍ର ଜେନା, ଦଳର ମୁଖପାତ୍ର ଅମର ପଟ୍ଟନାୟକ, ଅରୁପ ପଟ୍ଟନାୟକ, ଶ୍ରୀମୟୀ ମିଶ୍ର, କଳିକେଶ ସିଂହଦେଓ, ଲୋପାମୁଦ୍ରା ବକ୍ସିପାତ୍ର ଏବଂ ମହେଶ୍ୱର ମହାନ୍ତିଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି ।

ସେପଟେ ପ୍ରସନ୍ନ ପାଟଶାଣୀ ପୁଣିଥରେ ଦଳ ମୁଖିଆଙ୍କୁ ମନ ପକାଇଦେଇଛନ୍ତି, ଯେ ତାଙ୍କୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।  କାହା ନାଁରେ ମୋହର ମାରିବେ ବିଜେଡି ସୁପ୍ରିମୋ । ଚର୍ଚ୍ଚା ହେଉଛି, ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରୁ ଫେରିବା ପରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ନବୀନ ପଟ୍ଟନାୟକ ।