ଆଜି ବାଜପେୟୀଙ୍କର ହେବ ଅନ୍ତିମ ଯାତ୍ରା । ସକାଳ ୯.୩୦ରୁ ଶେଷ ଯାତ୍ରା ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ହେବ ଅନ୍ତିମ ସଂସ୍କାର

105

କନକ ବ୍ୟୁରୋ : ନିଘୋଡ ନିଦ୍ରାରେ ଶୋଇଯାଇଛନ୍ତି କୋଟି କୋଟି ଭାରତୀୟଙ୍କ ଜନନେତା ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀ । ରାତି ସାରା ଅଟଳଙ୍କ ପାର୍ଥୀବ ଶରୀରର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତାଙ୍କୁ ଭଲ ପାଉଥିବା ମଣିଷ । ଆଜି ସକାଳ ୯ଟାରେ ତାଙ୍କ ମରଶରୀରକୁ ବିଜେପି ଦଳୀୟ ମୁଖ୍ୟାଳୟକୁ ନିଆଯିବ । ତାପରେ ସେଠାରେ ଦଳୀୟ ନେତା, କର୍ମୀ, ସମର୍ଥକମାନେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଦିନ ସାଢ଼େ ଗୋଟାଏ ବେଳେ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହେବ । ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ଅପରାହ୍ନ ୪ଟାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅଫେରା ବାଟରେ ଚାଲିଯାଇଛନ୍ତି କୋଟି କୋଟି ଭାରତୀୟଙ୍କ ପ୍ରିୟ ନେତା ଅଟଳବିହାରୀ ବାଜପେୟୀ । ଏହା କୋଟି କୋଟି ଭାରତୀୟଙ୍କ ହୃଦୟରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ଏହା ସହ ଭାରତୀୟ ରାଜନୀତିର ଗୋଟିଏ ଯୁଗର ଅବସାନ ଘଟିଛି । ଦେଶ ଜଣେ ମହାନ ରାଷ୍ଟ୍ରନାୟକ ତଥା ଜଣେ ଲୋକପ୍ରିୟ ଜନନେତାଙ୍କୁ ହରାଇଛି ।

 

ଗତ ସଂଧ୍ୟାରେ ଏହି ଖବର ଆସିବା ପରେ ଥମିଯାଇଛି ସାରା ଦେଶ, ସ୍ତବ୍ଧ ହୋଇଯାଇଛନ୍ତି ଦେଶବାସୀ । ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । କୋଟି କୋଟି ଭାରତୀୟଙ୍କ ଆଖିରେ ଜକେଇ ଆସିଛି ଲୁହ । ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଅଟଳ ବିହାରୀ ଅମର ରହେ । ସଂଧ୍ୟା ୫ ଟା ୫ ମିନିଟ୍ରେ ଭାରତର ଏହି ମହାନ ନେତାଙ୍କ ପରଲୋକ ଘଟିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ବାଜପେୟୀଙ୍କ ପାର୍ଥିବ ଶରୀରକୁ ଏମ୍ସରୁ ଦିଲ୍ଲୀର କ୍ରିଷ୍ଣା ମେନନ୍ ମାର୍ଗରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ଗତକାଲି ରାତିସାରା ଅନ୍ତିମ ଦର୍ଶନ କରିଥିଲେ ତାଙ୍କ ଭଲପାଉଥିବା ମଣିଷ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଦେଶର ଅନେକ ତୁଙ୍ଗନେତା, ବାଜପେୟୀଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ୬ ଦଶକ ଧରି ଭାରତୀୟ ରାଜନୀତି, ଭାରତୀୟ ସଂସ୍କୃତି, ଭାରତୀୟ ଚେତନାକୁ ପ୍ରଭାବିତ ଆସୁଥିବା ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକରେ ସ୍ତମ୍ଭୀଭୁତ ହୋଇ ଯାଇଛନ୍ତି ଦେଶବାସୀ । ରାଷ୍ଟ୍ରପତି କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଏକ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ବାଜପେୟୀ ଦେଶବାସୀଙ୍କ ହୃଦୟରେ ସର୍ବଦା ଅମର ରହିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ସେ କହିଛନ୍ତି ଦେଶ ଆଜି ତା’ର ଅମୂଲ୍ୟ ରତ୍ନକୁ ହରାଇଛି । ଅଟଳଙ୍କ ବାଣୀ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଦର୍ଶନ କରିବା ସହ ଶେଷ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ଅମର ଆତ୍ମାର ସମଗତି କାମନା କରିବା ସହ ନବୀନ କହିଛନ୍ତି, ବାଜପେୟୀଙ୍କ ପରଲୋକରେ ସେ ମର୍ମାହତ ହୋଇଛନ୍ତି । ଅଟଳ ବିହାରୀ ଜଣେ ମହାନ ଜନନାୟକ ଥିଲେ ଏବଂ ଓଡିଶାବାସୀଙ୍କର ସେ ଅତି ପ୍ରିୟ ଥିଲେ ବୋଲି କହିଛନ୍ତି ନବୀନ ।

 

ତେବେ ବାଜପେୟୀଙ୍କ ବିୟୋଗରେ ଦଳ, ମତ ନିର୍ବିଶେଷରେ ସମସ୍ତେ ଶୋକାଭିଭୂତ ହୋଇ ଯାଇଛନ୍ତି । ଦିଲ୍ଲୀ ଏମ୍ସରେ ଚିକିିତ୍ସିତ ହେଉଥିବା ଅବସ୍ଥାରେ ୯୩ ବର୍ଷ ବୟସରେ ଅଟଳ ବିହାରୀ ବାଜପାୟୀଙ୍କ ପରଲୋକ ଘଟିଛି । କିଡ୍ନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପେୟୀଙ୍କୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବାଜପାୟୀଙ୍କ ଅବସ୍ଥା ବୁଧବାର ଠାରୁ ଗମ୍ଭୀର ହୋଇପଡ଼ିଥିଲା । ବାଜପେୟୀଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ଲାଇଫ ସପୋଟ୍ ସିଷ୍ଟମରେ ତାଙ୍କୁ ରଖାଯାଇଥିଲା । ସାରା ଦେଶରେ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ହସପିଟାଲ ପକ୍ଷରୁ ବାରମ୍ବାର ହେଲ୍ଥ ବୁଲେଟିନ୍ ପ୍ରକାଶ କରି ବାଜପାୟୀଙ୍କ ସ୍ୱାସ୍ଥାବସ୍ଥା ସଂପର୍କରେ ସୂଚନା ଦିଆଯାଉଥିଲା । ସମୟ ଗଡ଼ିବା ସହ ସ୍ୱାସ୍ଥାବସ୍ଥାରେ ଅବନତି ଘଟି ଚାଲିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟୁଥିବା ଖବର ପାଇ ସାରା ଦେଶର ତୁଙ୍ଗ ନେତାମାନେ ହସପିଟାଲ ଯାଇ ଅଟଳ ବିହାରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ତେବେ ସଂଧ୍ୟାବେଳେ ଅଟଳ ବିହାରୀଙ୍କ ପରଲୋକ ଘଟିଥିବା ନେଇ ଏମ୍ସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହା ପରେ ତାଙ୍କ ମରଶରୀରକୁ ତାଙ୍କ ବାସଭବନକୁ ନିଆଯାଇଥିଲା ।

 

 

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ ରାଜ୍ୟ ସରକାର ଆଜି ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହା ସହିତ ଗତକାଲିଠାରୁ ୭ ଦିନ ଯାଏଁ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି । ଏହି ୭ ଦିନ ଧରି ରାଜ୍ୟର ସମସ୍ତ ସରାକାରୀ କୋଠାବାଡିରେ ଜାତୀୟ ପତାକା ଅର୍ଧନମିତ ରହିବ । କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ । ନିଷ୍ପତ୍ତି ଅନୁଯାୟୀ ଆଜିି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ୍ ରହିବ । ତେବେ ବାଜପେୟୀଙ୍କ ବାସଭବନରେ ବର୍ତ୍ତମାନ ସମୟରେ ମଧ୍ୟ ଅନେକ ନେତା ଉପସ୍ଥିତି ରହିଛନ୍ତି ଏବଂ ବାଜପେୟୀଙ୍କୁ ଅନ୍ତିମ ଯାତ୍ରାରେ ଯେଉଁ ଗାଡି ବ୍ୟବହାର କରାଯିବ ତାହା ମଧ୍ୟ ବର୍ତ୍ତମାନ ସମୟରେ ପହଞ୍ଚି ସାରିଥିବା ସୂଚନା ମିଳିଛି ।