ଲାଗାଣ ବର୍ଷାରେ ଏବେବି ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ । ପାଣି କମିଲା ପରେ ଆରମ୍ଭ ହେବ କ୍ଷୟକ୍ଷତିର ଆକଳନ

42

କନକ ବ୍ୟୁରୋ : ଗତ ୪ଦିନ ହେଲାଣି ଲାଗି ରହିଛି ଲଘୁଚାପ ବର୍ଷା । ତେବେ ଦକ୍ଷିଣ ଓଡିଶାରେ ସ୍ଥିତି ସଙ୍ଗୀନ ରହିଛି । ଅନେକ ସ୍ଥାନରେ ରାସ୍ତାଘାଟରେ ପାଣି ଚାଲୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ତେବେ ସବୁଠାରୁ ଅଧିକ ପ୍ରବାହିତ ହୋଇଛି ମାଲକାନଗିରି ଜିଲ୍ଲା । ତେବେ ଦୁଇ ଦିନର ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ମାଲକାନଗିରିରୁ ଜୟପୁର ଯୋଗାଯୋଗ ଠପ୍ ହୋଇଯାଇଥିବା ବେଳେ ମାଥିଲିର ପାଙ୍ଗାମ ନଦୀରେ ୭ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ସେହିପରି ମାଲକାନଗିରି-ବାଲିମେଳା ରାସ୍ତାର ତିନୋଟି ସ୍ଥାନରେ ପୋଲକୁ ବନ୍ୟା ଜଳ ବୁଡ଼ାଇ ଦେଇଥିଲା। ତେଣୁ ଆଜି ମଧ୍ୟ ବାଲିମେଳା ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

 

କାଲିମେଳା-ଏମଭି-୭୯-ମୋଟୁ ଅଂଚଳକୁ ବି ଯୋଗାଯୋଗ ସମ୍ଭ ହୋଇପାରି ନାହିଁ। କାଙ୍ଗରୁକୋଣ୍ଡା ନିକଟରେ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଏମଭି-୯୦ ଗ୍ରାମ ନିକଟରେ ପାଣି ୫ ଫୁଟ ଉଚ୍ଚରେ ଚାଲିଥିଲା। ଏମଭି-୭୯ ଠାରୁ ମୋଟୁ ମଧ୍ୟରେ ମହାରାଜପାଲୀ ନିକଟରେ ପାଣି ପ୍ରାୟ ୧୦ ଫୁଟରୁ ଉପରେ ପ୍ରବାହିତ ହେଉଥିବାରୁ ରାସ୍ତାରେ ଯାତାୟାତ ବନ୍ଦ ରହିଛି। କାଲିମେଳା ଓ ପଡିଆ ବ୍ଲକର ବହୁ ଗ୍ରାମ ପାଣି ଘେରରେ ରହିଥିବା ସୂଚନା ମିଳିଛି। ପରିସ୍ଥିତି ଏମିତି ହୋଇଛି ଯେ, ପଡିଆ ବ୍ଲକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ବାହ୍ୟ ଜଗତରୁ ମାଲକାନଗିରି ବିଚ୍ଛିନ୍ନ ହୋଇ ରହିଥିବାରୁ ଜିଲ୍ଲାରେ ଅନେର ଲୋକ ଫସି ରହିବା ସହ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପାଣି କମିଲାପରେ ଲୋକମାନଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।