ବାଜପେୟୀଙ୍କ ଦେହାନ୍ତରେ ସପ୍ତାହବ୍ୟାପୀ ରାଷ୍ଟ୍ରୀୟ ଶୋକ ପାଳନ: ଓଡ଼ିଶା ସମେତ ୭ଟି ରାଜ୍ୟରେ ଆଜି ବନ୍ଦ ରହିବ ସ୍କୁଲ, କଲେଜ୍ ଓ ସରକାରୀ ଅଫିସ୍

43

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଜ୍ୟ ସରକାର ଆଜି ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି। ଆଜି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି। ଏହା ସହ ଗତକାଲିଠାରୁ ସାତ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରାଯାଇଛି। ଏହି ୭ ଦିନ ଧରି ରାଜ୍ୟର ସମସ୍ତ ସରକାରୀ କୋଠାବାଡ଼ିରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହ କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ। ସେହିପରି ନେଗୋସିଏବଲ୍ ଇନ୍ଷ୍ଟମେଣ୍ଟ୍ ଆକ୍ଟ ଅନୁଯାୟୀ ରାଜ୍ୟ ସରକାର ସବୁ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ଛୁଟି ପାଇଁ ଘୋଷଣା କରିଛନ୍ତି।

ମୋର ବ୍ୟକ୍ତିଗତ କ୍ଷତି: ମୁଖ୍ୟମନ୍ତ୍ରୀ

ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ବାଜପେୟୀ ଗୁରୁତର ଥିବାର ଖବର ଜଣାପଡ଼ିବା ପରେ ଗତକାଲି ମଧ୍ୟାହ୍ନରେ ଶ୍ରୀ ପଟ୍ଟନାୟକ ନୂଆଦିଲ୍ଲୀ ଅଭିମୁଖେ ଯାଇଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା ପରେ ବିମାନବନ୍ଦରରୁ ସିଧାସଳଖ ଏମ୍ସ୍ ଯାଇଥିଲେ। ଏମ୍ଏସରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଖବର ଘୋଷଣା ହୋଇସାରିଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ବାଜପେୟୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାହା ପରେ ଏମ୍ଏସ୍ ପରିସରରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଥିଲେ। ସନ୍ଧ୍ୟାରେ ବାଜପେୟୀଙ୍କ ମରଶରୀରକୁ ତାଙ୍କ କ୍ରିଷ୍ଣା ମେନନ୍ ମାର୍ଗସ୍ଥିତ ସରକାରୀ ବାସଭବନକୁ ଅଣାଗଲା ପରେ ସେଠାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବାଜପେୟୀଜୀଙ୍କ ପରଲୋକ ଏକ ବିରାଟ ରାଷ୍ଟ୍ରୀୟ କ୍ଷତି। ଏହା ସହ ବ୍ୟକ୍ତିଗତ ଭାବେ ମଧ୍ୟ ମୋର କ୍ଷତି ହୋଇଛି। ବାଜପେୟୀଜୀଙ୍କ ସହ ମୋର ସମ୍ପର୍କ ସବୁଦିନ ପାଇଁ ମନେ ରହିବ, କାରଣ ସେହି ସମୟ ଥିଲା ମୋର ରାଜନୈତିକ ଜୀବନର ଆରମ୍ଭ। ରାଜନୀତିରେ ଶିଷ୍ଟାଚାର, ଆଦର୍ଶ ଓ ସହିଷ୍ଣୁତାର ସେ ଥିଲେ ଏକ ଅପୂର୍ବ ମିଶ୍ରଣ। ସେ ଏପରି ଏକ ରାଷ୍ଟ୍ରନୀତିଜ୍ଞ ଥିଲେ, ଯାହାଙ୍କୁ କି ଦଳମତ ନିର୍ବିଶେଷରେ ପ୍ରଶଂସା କରାଯାଏ। ରାଜନୀତିରେ ଏପରି ଘଟଣା ବିରଳ। ସେ ମଧ୍ୟ ଜଣେ ଆଦର୍ଶବାଦୀ କବି ଥିଲେ। ବାସ୍ତବରେ ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ହେଲା। ବାଜପେୟୀଜୀଙ୍କ ବିଶାଳ ହୃଦୟରେ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା। ଠିକ୍ ସେହିପରି ଓଡ଼ିଶା ଲୋକଙ୍କର ମଧ୍ୟ ତାଙ୍କ ପ୍ରତି ପ୍ରଚୁର ଭଲ ପାଇବା ଥିଲା। ତାଙ୍କ ଅନୁପସ୍ଥିତି ଆମେ ସବୁବେଳେ ଅନୁଭବ କରିବୁ।