ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ! ପଞ୍ଜୀକରଣ କଲେ ୪୨ ହଜାର ହେଲେ ଚାକିରି ପାଇଲେ ମାତ୍ର ୧୩

110

କନକ ବ୍ୟୁରୋ : ୨୦୧୫ରୁ ୨୦୧୮, ସେପ୍ଟେମ୍ବର ୪୫ମାସ ମଧ୍ୟରେ ଚାକିରି ପାଇଁ ୪୨ହଜାର ବେକାର ଯୁବକଯୁବତୀ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଚାକିରି ପାଇଛନ୍ତି ମାତ୍ର ୧୩ ଜଣ । ନିଯୁକ୍ତି କ୍ଷେତ୍ରରେ ଏଭଳି ନୈରାଶ୍ୟଜନକ ଚିତ୍ର ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି । କଟକ ଜିଲ୍ଳା ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ ପାଇଁ ସରକାର ନିକଟରେ ଅନ୍‌ଲାଇନ୍‌ ବ୍ୟବସ୍ଥା କରିଛନ୍ତି । ଗତ ଅକ୍ଟୋବର ୧୫ରୁ ଏହି ସୁବିଧା ଆରମ୍ଭ ହୋଇଥିବାବେଳେ ପଞ୍ଜୀକରଣ ହାର ବଢିଥିଲେ ବି ନିଯୁକ୍ତି ସୁଯୋଗ ଅତ୍ୟନ୍ତ ନିରୁତ୍ସାହଜନକ ରହିଛି ।

ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ରେକର୍ଡ କହୁଛି, ୨୦୧୫ରେ ମୋଟ୍ ୧୦ହଜାର ୯୦୦ଜଣ ଶିକ୍ଷିତ ନାମ ପଞ୍ଜୀକରଣ କରିଥିବାବେଳେ ୯ଜଣ ସେଥିମଧ୍ୟରୁ ଚାକିରି ପାଇଛନ୍ତି । ମେ’ରେ ୪ଜଣ ଚାକିରି ପାଇଥିବାବେଳେ ଜୁନ୍‌ରେ ୩ ଜଣ ଏବଂ ଅଗଷ୍ଟରେ ୨ ଜଣଙ୍କୁ ନିଯୁକ୍ତି ମିଳିଛି । ୨୦୧୬ରେ କିନ୍ତୁ ଏ ସଂଖ୍ୟା ଖସି ୨ରେ ସୀମିତ ରହିଛି । ଏହି ବର୍ଷ ମୋଟ୍ ୯ ହଜାର ୪୬୫ ଜଣଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ଜୁଲାଇ ଓ ଡିସେମ୍ବରରେ ଜଣେ ଲେଖାଏଁ ଚାକିରି ପାଇଛନ୍ତି । ୨୦୧୭ରେ କିନ୍ତୁ ଜଣେ କେହି ବି ଚାକିରି ପାଇନଥିବା ରେକର୍ଡରେ ଉଲ୍ଲେଖ ରହିଛି ।

ଚଳିତବ‌ର୍ଷ ୧୨ହଜାର ୬୪୨ଜଣ ବେକାର ଯୁବକଯୁବତୀ ନାମ ପଞ୍ଜୀକରଣ କରିଥିଲେ ହେଁ, କାହାକୁ ନିଯୁକ୍ତି ମିିଳିନାହିଁ । ୨୦୧୮ରେ ଅବଶ୍ୟ ୯ମାସ ଭିତରେ ଦୁଇ ଜଣଙ୍କୁ ଚାକିରି ମିଳିଛି; ଥଇଥାନ ଭିତ୍ତିରେ । ଚଳିତ ସେପ୍ଟେମ୍ବର ସୁଦ୍ଧା ନାମ ପଞ୍ଜୀକୃତ କରିଥିବା ୮ହଜାର ୪୪୬ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ନିଯୁକ୍ତି ମିଳିଛି । ତାହା ପୁଣି ପରିବାରର କାହାର ମୃତ୍ୟୁ ପ‌ରେ ଥଇଥାନ ଭିତ୍ତିରେ ଏ ଚାକିରି ପାଇଛନ୍ତି । ତେବେ ଏ ପ୍ରକାର ଉତ୍କଟ ବେକାରୀ ସମସ୍ୟା ସଂପର୍କରେ କର୍ତୃପକ୍ଷଙ୍କ କହିବା କଥା ହେଉଛି, ନାମ ପଂଜୀକୃତ ହେବା ପରେ ଅନେକ ପିଲା ଚାକିରି ପାଉଥିଲେ ବି ସେମାନେ ଆଉ ଜଣାଉ ନାହାନ୍ତି । ତେଣୁ ପ୍ରକୃତରେ ଚାକିରି ପାଉଥିବା ସଂଖ୍ୟା ଜଣା ପଡ଼ୁନାହିଁ ।

ଉଲ୍ଲେଖଯୋଗ୍ୟ, ଜିଲ୍ଲା ନିୟୋଜନ କାର‌୍ୟ୍ୟାଳୟରେ ଥରେ ନାମ ପଞ୍ଜୀକୃତ କଲେ ତାର ଅବଧି ୩ ବର୍ଷ ରହିଥାଏ । ଅବଶ୍ୟ ଏଥିପାଇଁ ପ୍ରତି ବର୍ଷ ନବୀକରଣ କରିବାକୁ ପଡ଼ିଥାଏ । ଏହି କ୍ରମରେ ପ୍ରତିବର୍ଷ ନବୀକରଣକୁ ମିଶାଇଲେ ମୋଟ୍ ୪୯ହଜାର ୧୮୫ ନାମ ରେଜିଷ୍ଟ୍ରିଭୁକ୍ତ ହୋଇଥିବା ଜଣାପଡ଼ିଛି ।