ଦିଗ ବଦଳାଉଛି ଘୂର୍ଣ୍ଣିବଳୟ, ବଦଳୁଛି ପୂର୍ବାନୁମାନ ! ସପ୍ତାହେ ଧରି ଲାଗି ରହିବ ବର୍ଷା

40

କନକ ବ୍ୟୁରୋ: ଗୁରୁବାର ରାଜ୍ୟର ଉତ୍ତର ଉପକୂଳରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଶୁକ୍ରବାର ଉତ୍ତର ଛତିଶଗଡ଼କୁ ଗତି କରିଛି । ଆଜି ଏହା ପୁଣି ଓଡ଼ିଶାର ଦକ୍ଷିଣ ଉପକୂଳକୁ ଫେରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ଉତ୍ତର ଏବଂ ଅନ୍ୟାନ୍ୟ ସ୍ଥାନରେ ସପ୍ତାହ ଧରି ବର୍ଷା ଲାଗି ରହିବ । କିନ୍ତୁ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରଠାରୁ ଅନ୍ୟୂନ ୪ ଥର ଗତିପଥ ବଦଳାଇଲାଣି । ଏହା ଲଘୁଚାପରେ ପରିଣତ ହେବ କି ନାହିଁ ସେ ନେଇ ପୂର୍ବାନୁମାନ କରିପାରୁନାହିଁ ପାଣିପାଗ କେନ୍ଦ୍ର । ଘନ ଘନ ଏହା ଦିଗ ବଦଳାଉଥିବାରୁ ପୂର୍ବାନୁମାନ ବି ଘଡ଼ିକେ ଘଡ଼ି ବଦଳୁଛି ।

ସୂଚନାନୁସାରେ, ଗତ ମଙ୍ଗଳବାର ବଙ୍ଗୋପ ସାଗରରେ ଥରକେ ୨ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ଗୋଟିଏ ବାଂଲାଦେଶ ଆଖପାଖ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବେଳେ ଅନ୍ୟଟି ମିଆଁମାର ଆଖପାଖ ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ହୋଇଥିଲା । ବୁଧବାର ୨ଟି ଯାକ ଘୂର୍ଣ୍ଣିବଳୟ ମିଶି ଗୋଟିଏ ଘୂର୍ଣ୍ଣିବଳୟରେ ପରିଣତ ହୋଇ ରାଜ୍ୟର ଉତ୍ତର ଉପକୂଳକୁ ଘୁଞ୍ଚିଆସିଥିଲା । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଗୁରୁବାର-ଶୁକ୍ରବାର ସୁଦ୍ଧା ଏହା ଦକ୍ଷିଣ ଉପକୂଳକୁ ମୁହାଁଇଥାନ୍ତା । କିନ୍ତୁ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରି ଏହାର ସ୍ଥିତି ବଦଳିଗଲା । ଗତକାଲି ଏହା ଉତ୍ତର ଛତିଶଗଡ଼ ଦିଗକୁ ଗତି କରିଛି । ଶନିବାର ବେଳକୁ ପୁଣି ଏହା ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଫେରିଆସିବ । ଘୂର୍ଣ୍ଣିବଳୟର ସ୍ଥିତି ଏବଂ ଗତି ଅନୁଧ୍ୟାନ କରି ଏହା ଲଘୁଚାପର ରୂପ ନେବ କି ନାହିଁ ତା’ର ରୂପରେଖ ସ୍ପଷ୍ଟ କରିପାରୁନାହିଁ ପାଣିପାଗ କେନ୍ଦ୍ର ।

ତେବେ ୨୮ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଉତ୍ତର ଏବଂ ଉପକୂଳର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଗତକାଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ ସ୍ୱାଭାବିକ ରହିଛି । ଏହା ସହିତ ରାଜସ୍ଥାନର ଗଙ୍ଗାନଗରରୁ ଝାରସୁଗୁଡ଼ା, ପୁରୀ ଦେଇ ମୌସୁମୀ ଟ୍ରଫ୍ ଲାଇନ ବଙ୍ଗୋପ ସାଗରକୁ ଲମ୍ବିଯାଇଛି । ଏସବୁ କାରଣରୁ ସେପ୍ଟେମ୍ବର ୨ ତାରିଖ ଯାଏ ବର୍ଷା ଲାଗି ରହିବ । ତେବେ ଖରା ରହୁଥିବାରୁ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଧିକ ।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୯୬ ମିଲିମିଟର ବର୍ଷା ହୋଇଥିଲା । ସେହିପରି ଦାରିଙ୍ଗିବାଡ଼ିରେ ୯୪ ମି.ମି., ବାରିପଦାରେ ୩୮.୨ ମି.ମି., ଭୁବନେଶ୍ୱରରେ ୩୦.୪ ମି.ମି., ସମ୍ବଲପୁରରେ ୨୩.୮ ମି.ମି., କଟକରେ ୨୨.୨ ମି.ମି., ଝାରସୁଗୁଡ଼ାରେ ୧୭.୬ ମି.ମି., ତାଳଚେରରେ ୧୭ ମି.ମି. ବର୍ଷା ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ୧୩ ମି.ମି., ବଲାଙ୍ଗୀରରେ ୧୧.୪ ମି.ମି. ବର୍ଷା ହୋଇଛି । ଏହାବ୍ୟତୀତ ଭୁବନେଶ୍ୱର, ଚାନ୍ଦବାଲି, ଅନୁଗୁଳ ଆଦି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି ।