ନେପାଳ ନରେଶଙ୍କ କାଳିଆ ଦର୍ଶନ ! ଶ୍ରୀମନ୍ଦିର ରତ୍ନ ସିଂହାସନରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଶ୍ରୀଜୀଉଙ୍କୁ ସାଳଗ୍ରାମ ଓ ସ୍ୱର୍ଣ୍ଣମୁଦ୍ରା ଭେଟିଦେବେ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ

63

କନକ ବ୍ୟୁରୋ: ଆଜି ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ ଶ୍ରୀମନ୍ଦିର ରତ୍ନ ସିଂହାସନରେ ସ୍ୱତନ୍ତ୍ର ପୂଜା କରିବା ପାଇଁ ଯାଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରତ୍ନ ସିଂହାସନରେ ସେ ସଂକଳ୍ପ କରିବା ସହ ଅର୍ପଣ କରିବେ। ଶାଳଗ୍ରାମ ଓ ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରିବେ। ଏହା ସହିତ ସ୍ୱତନ୍ତ୍ର ଆଳତି କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ଦକ୍ଷିଣଦ୍ଵାରରେ ଠିକ୍ ୧୧ଟା ବେଳେ ନରେଶଙ୍କ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ସେଠାରେ ତାଙ୍କୁ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସକଙ୍କ ସମେତ ନେପାଳ ପଣ୍ଡା(ସର୍ବାଧିକ ୪) ସ୍ୱାଗତ କରିବେ । ଗଜପତି ମହାରାଜା ପୂର୍ବରୁ ଯାଇ ଜଗମୋହନର ଭିତରକାଠ ନିକଟରେ ପ୍ରତୀକ୍ଷା କରିବେ । ସେଠାରେ ସେ ନରେଶଙ୍କୁ ସ୍ୱାଗତ କରିବେ। ୧୧ଟା ୧୦ ମିନିଟରେ ନେପାଳ ନରେଶ ବଟ ଗଣେଶଙ୍କ ନିକଟରେ ପହଞ୍ଚିବେ। ସେଠାରେ ପୂଜା କରିବା ପରେ ବାଟମଙ୍ଗଳାଙ୍କୁ ଦର୍ଶନ କରିବେ। ଏହା ପରେ ୧୧ଟା ୨୦ରେ ପଣ୍ଡାଦ୍ଵାର ଦେଇ ନାଟମଣ୍ଡପ ପ୍ରବେଶ କରିବେ। ସେଠାରେ ଗରୁଡ଼ସ୍ତମ୍ଭ ଦର୍ଶନ କରି ପ୍ରଦକ୍ଷିଣ କରିବା ପରେ ଜଗମୋହନ ଜୟବିଜୟ ଦ୍ଵାର ଦେଇ ଭିତରକାଠ ପର୍ଯ୍ୟନ୍ତ ଯିବେ। ସେଠାରୁ ଗଜପତି ମହାରାଜା ତାଙ୍କୁ ଗର୍ଭଗୃହକୁ ପାଛୋଟି ନେବେ । ତାଙ୍କ ସହିତ ୪ ନେପାଳ ପଣ୍ଡା, ସ୍ୱୀକୃତିପ୍ରାପ୍ତ ଅଧିକାରୀ, ଲାଲମୋହରିଆ ପଣ୍ଡା ଗର୍ଭଗୃହରେ ପ୍ରବେଶ କରିବେ ।

ନରେଶ ରତ୍ନ ସିଂହାସନ ଚଢ଼ିବା ପରେ ଲାଲ ମୋହରିଆ ପଣ୍ଡା ତାଙ୍କୁ ସମସ୍ତ ପ୍ରକାରର ପୂଜା ସାମଗ୍ରୀ ବଢ଼ାଇ ଦେବେ । ସେଠାରେ ସମସ୍ତ ପୂଜା ସହ ନୈବେଦ୍ୟ ଅର୍ପଣ ପରେ ନରେଶ ୧୨ଟା ବେଳେ ପ୍ରତ୍ୟାବର୍ତ୍ତନ କରିବେ । ସେଠାରୁ ଫେରି ନୃସିଂହ ମନ୍ଦିର ଦର୍ଶନ କରିବେ। ମା’ ବିମଳା ମନ୍ଦିରରେ ସେ ମଧ୍ୟ ପୂଜା କରିବେ । ଏହା ପରେ ମା’ ଲକ୍ଷ୍ମୀ ମନ୍ଦିରରେ ପୂଜା ଅର୍ପଣ କରିବେ । ୧୨ଟା ୧୫ ମିନିଟରେ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଶେଷରେ ସେ ପୁଣି ଥରେ ବଟ ଗଣେଶଙ୍କ ନିକଟରେ ଦର୍ଶନ ସାରି ଦକ୍ଷିଣଦ୍ଵାର ଦେଇ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ସମସ୍ତ ଅଧିକାରୀଙ୍କ ସହ ଗଜପତି ମହାରାଜା ତାଙ୍କୁ ବିଦାୟ ଦେ ବେ। ଏହା ପୂର୍ବରୁ ସାଢ଼େ ୯ଟା ବେଳେ ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରରୁ ଖାଲି କରି ଦ୍ଵାର ବନ୍ଦ ରଖାଯିବ ।