ନଗଡ଼ାକୁ ତୃତୀୟ କେନ୍ଦ୍ରୀୟ ଦଳର ଗସ୍ତ : ଶିଶୁ ମଡ଼କ ଘଟଣାର କରିବେ ଅନୁଧ୍ୟାନ

28

କନକ ବ୍ୟୁରୋ : ନଗଡ଼ାକୁ ତୃତୀୟ କେନ୍ଦ୍ରୀୟ ଦଳର ଗସ୍ତ । ଯାଜପୁର ନଗଡ଼ା ଗାଁ ଶିଶୁ ମଡ଼କ ଘଟଣାର ଅନୁଧ୍ୟାନ ପାଇଁ ଆଜି କେନ୍ଦ୍ରୀୟ ଦଳ ନଗଡ଼ା ଗସ୍ତ କରୁଛନ୍ତି । ଗତକାଲିଠାରୁ କାଳିଆ ପାଣିରେ ଥିବା କେନ୍ଦ୍ରୀୟ ଦଳ ଆଜି ସାତକୁଲିଆ ପାହାଡ଼ ଚଢ଼ି ନଗଡ଼ା ଗସ୍ତ କରିବେ । ଏହି କେନ୍ଦ୍ରୀୟ ଦଳରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ସଦସ୍ୟ ରୂପା କାପୁର ଓ ବୈଷୟିକ ବିଶେଷଜ୍ଞ ପ୍ରିୟଙ୍କା ସିଂହ ଅଛନ୍ତି ।

ଦୁଇ ଜଣିଆ କେନ୍ଦ୍ରୀୟ ଟିମ ଶିଶୁ ମଡ଼କ ଘଟଣାର ତଥ୍ୟ ସ୍ଥାନୀୟ ଜନପ୍ରତିନିଧି ଏବଂ ଲୋକଙ୍କଠାରୁ ପଚାରୁ ବୁଝୁଛନ୍ତି । ଦେଓଙ୍ଗା ଖପୁରାଇ ପୀଠରୁ ଅଶୋକଝର ବସ୍ତି ସଂଲଗ୍ନ ନଗଡ଼ା ପାହାଡ ଚଢିବା ପୂର୍ବରୁ କେନ୍ଦ୍ରୀୟ ଟିମ୍ ଏନଆରସି ଯାଇ ସେଠାରେ ଥିବା ୧୬ ମାସର ଶିଶୁ ମିଥୁନ୍ ହାଁସନ୍ଦାର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହା ସହ ନଗଡ଼ା ଶିଶୁ ମଡ଼କ ଉପରେ ଏକ ସମୀକ୍ଷା ବୈଠକରେ କେନ୍ଦ୍ରୀୟ ଟିମ୍ ସ୍ଥାନୀୟ ଅଧିକାରୀଙ୍କୁ ଗୁଡ଼ାଇ ତୁଡ଼ାଇ ଅନେକ ପ୍ରଶ୍ନ କରିଥିଲେ । କେନ୍ଦ୍ରୀୟ ଟିମ୍ ଶିଶୁମାନଙ୍କ ବର୍ତମାନର ଅବସ୍ଥା, ଅଙ୍ଗନବାଡି କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟବିଭାଗ କାର୍ଯ୍ୟଧାରା, ଜିଲ୍ଲାପ୍ରଶାସନ ଦ୍ୱାରା ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।