ମୃତ୍ୟୁର ଗୁମ୍ଫାରୁ ମିଳିଲା ମୁକ୍ତି ! ଥାଇଲାଣ୍ଡ ଥାମ୍ ଲୁଆଙ୍ଗ ଗୁମ୍ପାରୁ ସମସ୍ତ ୧୩ ଜଣକୁ ଉଦ୍ଧାର କଲା ସ୍ପେଶାଲ ରେସ୍କ୍ୟୁ ଟିମ୍

42

କନକ ବ୍ୟୁରୋ : ଦୁଇ ସପ୍ତାହ ପରେ ଥାଇଲାଣ୍ଡର ଗୁମ୍ଫାରୁ ବାହାରିଲେ ଫୁଟବଲ୍ ଖେଳାଳି । ସମସ୍ତ ୧୨ ଜଣ ଖେଳାଳି ଓ କୋଚଙ୍କୁ ଗୁମ୍ପା ଭିତରୁ ଉଦ୍ଧାର କରିଛି ଥାଇ ନେଭି ସିଲ୍ ଟିମ୍ । ଗତକାଲି ସୁଦ୍ଧା ୮ଜଣ ଖେଳାଳି ଉଦ୍ଧାର ହୋଇଥିବା ବେଳେ ଆଜି ତୃତୀୟ ଦିନରେ ବାକି ୪ଜଣ ଖେଳାଳି ଓ କୋଚଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ୱାଇଲ୍ଡ ବୋର୍ ଫୁଟବଲ୍ ଟିମର ଖେଳାଳିମାନେ ଗତ ଜୁନ୍ ୨୩ ତାରିଖରେ ଗୁମ୍ଫା ଭିତରେ ପଶିଥିଲେ । ହେଲେ ଆଉ ବାହାରକୁ ବାହାରିପାରିନଥିଲେ ।

ଥାଇଲାଣ୍ଡର ଥାମ୍ ଲୁଆଙ୍ଗ ଗୁମ୍ଫାରୁ ୧୨ ଜଣ କୁନି ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା । ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ଚାଲିଥିଲା ରେସ୍କ୍ୟୁ ଅପେରେସନ୍ । ଏକ ବଡ ସିଲିଣ୍ଡର ଆକୃତିର ସବମେରିନ ସାହାଯ୍ୟରେ କୁନି କୁନି ପିଲାଙ୍କୁ ଧରି ଅତି ସତର୍କତାର ସହ ମୃତ୍ୟୁର ଗୁମ୍ଫାରୁ ବାହାର କରିଛି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ । ଅଙ୍କାବଙ୍କା ଗୁମ୍ଫାର ରାସ୍ତା, ତାରି ଭିତରେ ସ୍ଥାନେ ସ୍ଥାନେ ପାଣି । ପ୍ରାୟ ୪ କିଲୋମିଟର ଏଭଳି ବିପଦ ସଂକୁଳ ପଥ ଭିତରୁ ପିଲାଙ୍କୁ ମୁକ୍ତ କରାଯାଇଛି । ଅଳ୍ପ କିଛି ବ୍ୟବଧାନରେ ସ୍ଥାନେ ସ୍ଥାନ ପାଣିରେ ସଂପୂର୍ଣ୍ଣ ବୁଡି ରହିଥିଲା ଗୁମ୍ଫା । ଆଉ ଜଳାର୍ଣ୍ଣବ ଅଂଶକୁ ଅତିକ୍ରମ କରି ପିଲାକୁ ବାହା କରିବା ଥିଲା ସବୁଠାରୁ ବଡ ଚ୍ୟାଲେଂଜ୍ ।

ଫୁଲବଲ ଅଭ୍ୟାସ୍ ପରେ ବୁଲିବାର ଅଭିଳାସା ଯେ, ଗୁମ୍ଫା ଭିତରେ ଏମିତି ବନ୍ଧକ ରଖିଦେବ ହୁଏତ ସେମାନେ କେହି କଳ୍ପନା ବି କରିନଥିଲେ । ହେଲେ ଜୁନ୍ ୨୩ ତାରିଖରୁ ଗୁମ୍ଫା ଭିତରେ ଫଶି ରହିଥିବା ୧୨ ଜଣ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ଯୁଦ୍ଧକାଳୀନ ଅପରେସନ୍ । ଦୁଇ ସପ୍ତାହରୁ ଅଧିକ ଦିନ ଧରି ଚାଲିଥିବା ଏହି ସଂଘର୍ଷ ଶେଷ ହୋଇଛି । ଗୁମ୍ଫା ଭିତରେ ଫଶି ରହିଥିବା ସମସ୍ତଙ୍କୁ ବାହାରକୁ ଆଣାଯାଇଛି । ତେବେ ଯେଉଁ ଭଳି ଭାବରେ ଥାଇଲାଣ୍ଡରେ ଉଦ୍ଧାରକାର୍ଯ୍ୟକୁ ଚୂଡାନ୍ତ ରୂପ ଦିଆଯାଇଛି, ତାହା ନିଶ୍ଚିତ ଭାବରେ ରେସ୍କ୍ୟୁ ଅପରେସନ୍ କ୍ଷେତ୍ରରେ ଦୁନିଆ ପାଇଁ ଏକ ବଡ ଉପଲବ୍ଧି ।