ରାଜ୍ୟରେ ବଢିଚାଲିଛି ସ୍ୱାଇନ୍ ଫ୍ଲୁ ଆତଙ୍କ ! ଗତକାଲି ପୁଣି ୩ଜଣ ମୃତ, ମୃତ୍ୟୁସଂଖ୍ୟା ୧୯ ଛୁଇଁଲା

32

କନକ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି ସ୍ୱାଇନ୍ ଫ୍ଲୁ ଆତଙ୍କ । ରାଜ୍ୟରେ ସ୍ୱାଇନ୍‌ ଫ୍ଲୁ ଆଉ ନିୟନ୍ତ୍ରଣରେ ନାହିଁ । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି । ଗତକାଲି ୩ ଜଣଙ୍କର ମୃତ୍ୟୁ ହେବା ସହ ଚଳିତ ବର୍ଷ ରାଜ୍ୟରେ ସ୍ୱାଇନ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ୧୯ ଛୁଇଁଛି । ସୋମବାର ପରୀକ୍ଷା କରାଯାଇଥିବା ୨୯ଟି ସ୍ୱାବ୍ ମଧ୍ୟରୁ ୮ ଜଣଙ୍କ ରକ୍ତରେ ଏଚୱାନ୍ଏନୱାନ୍ ଭୂତାଣୁ ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତ ସଂଖ୍ୟା ୨୩୫ରେ ପହଂଚିଛି ।

ଗତକାଲି ସ୍ୱାଇନ୍‌ ଫ୍ଲୁରେ ପ୍ରାଣ ହରାଇଥିବା ୩ ଜଣ ବ୍ୟକ୍ତି କଟକ, ବରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରୁ ଜଣେ ୪୦ ବର୍ଷର ପୁରୁଷ ହୋଇଥିବା ବେଳେ ମହିଳାଙ୍କ ବୟସ ୪୩ ବର୍ଷ । ଦୁହେଁ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ସେହିପରି ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଗତକାଲି ୨୯ଟି ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ଆରଏମ୍‌ଆରସିକୁ ପଠାଯାଇଥିଲା । ଏଥିରେ ୮ଟି ନମୁନା ପଜିଟିଭ୍‌ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ଲେଖାଏଁ  ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ରହିଥିବା ବେଳେ କଟକ ଓ ଗଞ୍ଜାମ ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି । ଜଣେ ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।