ଦାଗୀ ନେତାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ । ଅପରାଧୀକ ଲିଙ୍କ ଥିବା ନେତାଙ୍କ ପୂରା ବିବରଣୀ ଦଳୀୟ ୱେବସାଇଟରେ ଦେବାକୁ ସବୁ ରାଜନୈତିକ ଦଳଙ୍କୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ନିର୍ଦ୍ଦେଶ ନମାନିଲେ ଅଦାଲତ ଅବମାନନା

338

କନକ ବ୍ୟୁରୋ: ଆଉ ଚଳିବନି ରାଜନୈତିକ ଦଳର ମନମାନି । ଦେବାକୁ ହେବ ଦାଗୀ ନେତାଙ୍କ ପୂରା ବିବରଣୀ । ରାଜନୀତିରେ ଦିନକୁ ଦିନ ଅପରାଧୀଙ୍କ ସଂଖ୍ୟା ବଢ଼ୁଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ସବୁ ରାଜନୈତିକ ଦଳକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ସବୁ ରାଜନୈତିକ ଦଳ ସେମାନଙ୍କ ୱେବସାଇଟରେ ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଓ ସେମାନଙ୍କ ଚୟନ କରିବାର କାରଣ ଦର୍ଶାଇବେ । ଅର୍ଥାତ ରାଜନୈତିକ ଦଳକୁ ଜଣାଇବାକୁ ପଡିବ, ଅପରାଧୀକ ପୃଷ୍ଠଭୂମି ଥିବା ନେତାଙ୍କୁ କାହିଁକି ପ୍ରାର୍ଥୀ କରାଗଲା ।

ଏପରିକି ଯଦି କୌଣସି ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ସେ ନେଇ ରାଜନୈତିକ ଦଳଗୁଡିକ ଫେସବୁକ୍, ଟୁଇଟର ଭଳି ସୋସିଆଲ ମିଡିଆ ଏବଂ ଗୋଟିଏ ଆଂଚଳିକ ଭାଷା ଓ ଗୋଟିଏ ଜାତୀୟ ଭାଷାର ଖବର କାଗଜରେ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତିି ସୁପ୍ରିମକୋର୍ଟ ।

୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡିକ ମାନୁନଥିବା ଅଭିଯୋଗ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶକୁ ନମାନିଲେ , ଏହାକୁ କୋର୍ଟଙ୍କ ଅବମାନନା ଭାବେ ଧରାଯିବ ବୋଲି କହିଛନ୍ତି ବିଚାରପତି ଫଲି ନରିମାନ ।

ଅନ୍ୟପଟେ ସୁପ୍ରିମକୋର୍ଟ ଏହି ରାୟ ଦେବା ପରେ ଏହାକୁ ନେଇ ରାଜନୈତିକ ଦଳମାନଙ୍କ ଭିତରେ ଆରମ୍ଭ ହୋଇଯାଇଛି ବୟାନବାଜି । ରାଜନୀତିକୁ ଅପରାଧୀ ମୁକ୍ତ କରିବା ପାଇଁ ୨୦୧୮ ସେପ୍ଟେମ୍ବର ୨୫ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ଏଥିରେ ରାଜନୈତିକ ଦଳଗୁଡିକ ଅପରାଧୀଙ୍କୁ ପ୍ରାର୍ଥୀ କଲେ, ସେନେଇ ସବିଶେଷ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ କେହି ମାନି ନଥିଲେ ।