କନକ ବ୍ୟୁରୋ: ମୋ ସରକାରରେ ଯୋଗାଣ ବିଭାଗ ସାମିଲ ହେବା ପରେ ଅଧିକରୁ ଅଧିକ ସକ୍ରିୟ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ୧୧ ଫେବୃୟାରୀରେ ମୋ ସରକାରରେ ବିଭାଗକୁ ସାମିଲ କରିବା ପରେ ଆଜି ଲୋକଙ୍କ ସହ ସିଧାସଳକ କଥା ହୋଇ ଅଭାବ, ଅସୁବିଧା କଥା ବୁଝିଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ । ସୋସିଆଲ ମିଡିଆରେ ଲାଇଭ ପ୍ରୋଗ୍ରାମ କରି ଲୋକଙ୍କ ସହ ଯୋଡି ହୋଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି ମନ୍ତ୍ରୀ ।
ଗୁରୁବାର ଫେସବୁକ ଏବଂ ଟ୍ୱିଟର ଜରିଆରେ ମନ୍ତ୍ରୀ ଲୋକଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ରଖିଥିଲେ ଏବଂ ସରକାରଙ୍କ ଅନ୍ୟାନ୍ୟ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପୂର୍ବରୁ ଏଥି ନିମନ୍ତେ ଗତ ୧୧ ତାରିଖ ମଧ୍ୟରେ #AskOdishaFoodMinister ହ୍ୟାସଟ୍ୟାଗକୁ ବ୍ୟବହାର କରି ଫେସବୁକ ଏବଂ ଟୁଇଟର ମାଧ୍ୟମରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଜନ ସାଧାରଣ, ଯାହାର ଉତ୍ତର ଆଜି ମନ୍ତ୍ରୀ ଅପରାହ୍ନ ୪ ରୁ ୫ଟା ମଧ୍ୟରେ ସିଧାସଳଖ ଦେଇଛନ୍ତି । ସୀମିତ ସମୟ ହେତୁ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସମ୍ଭବ ହୋଇପାରିନଥିବାରୁ ବଳକା ରହିଯାଇଥିବା ପ୍ରଶ୍ନର ଉତ୍ତର ଫେସବୁକ୍ ଏବଂ ଟୁଇଟର ମାଧ୍ୟମରେ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।
#AskOdishaFoodMinister Live Q&A Session https://t.co/V1dRakzpYO
— Ranendra Pratap Swain (@rajaaswain) February 13, 2020
ଓଡ଼ିଶାରେ ପ୍ରଥମଥର ପାଇଁ କୌଣସି ବିଭାଗ ପକ୍ଷରୁ ଏହିପରି ପ୍ରୟାସ କରାଯାଇଛି । ଆଜିର ପ୍ରଶ୍ନ ମଧ୍ୟରେ ଚାଷୀମାନଙ୍କ ଠାରୁ ସରକାରଙ୍କର ଧାନ ସଂଗ୍ରହ ମୁଖ୍ୟ ପ୍ରସଙ୍ଗ ରହିଥିବାବେଳେ ଏହାର ଉତ୍ତରଦେଇ ମାନ୍ୟବର ମନ୍ତ୍ରୀ କହିଛନ୍ତିଯେ ଏଥିରେ ଥିବା ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ ।ଏଥି ସହିତ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ଉନ୍ନତିକୁ ପ୍ରାଥମିକତା ପ୍ରଦାନ କରାଯାଇଥିବାବେଳେ ସୁଲଭ ବଣ୍ଟନ ତଥା ଏହାର ବିକାଶ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଧାନ ସଂଗ୍ରହ କ୍ଷେତ୍ରରେ ପ୍ରକୃତ ଚାଷୀଙ୍କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଟୋକନ୍ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।