ଦୁର୍ଘଟଣା ପରେ ଦୋଷ ଲଦାଲଦି : ଶକ୍ତି ସଚିବଙ୍କୁ ଗ୍ରାମ୍ୟ ନିର୍ମାଣ ମୁଖ୍ୟଯନ୍ତ୍ରୀଙ୍କ କଡା ଚିଠି । ବିନା ଅନୁମତିରେ କେଉଁଠି ବି ବିଦ୍ୟୁତ୍ ଖୁଣ୍ଟ ନ ପୋତିବାକୁ ତାଗିଦ୍ ।

369

କନକ ବ୍ୟୁରୋ : ଗଞ୍ଜାମ ମେନ୍ଦ୍ରାଜପୁର ବସ୍ ଦୁର୍ଘଟଣା ପାଇଁ ଦାୟୀ କିଏ? ଦୁର୍ଘଟଣାର ଅସଲ କାରଣ ଖୋଜିବା ପରିବର୍ତେ ଶକ୍ତିି ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପରସ୍ପରକୁ ଦାୟୀ କରିଛନ୍ତି । ଏପରିକି ମୁହାଁମୁହିଁ ହୋଇଛନ୍ତି ଦୁଇ ବିଭାଗ । ଶକ୍ତି ବିଭାଗର ବିନା ଅନୁମତିରେ ରାସ୍ତା ନିର୍ମାଣ ନକରିବାକୁ ତାଗିଦ କରିଥିବାବେଳେ ରାସ୍ତା ଉପରେ ଝୁଲିଥିବା ବିଦ୍ୟୁତ୍ ତାର ଓ ଅନ୍ୟାନ୍ୟ ସାମଗ୍ରୀ ହଠାଇ ନେବାକୁ ଚିଠି କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଏଭଳି ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କ୍ଲିନଚିଟ୍ ଦେଇଛନ୍ତି ପରିବହନ ମନ୍ତ୍ରୀ ।

ଶକ୍ତି ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପରସ୍ପର ଉପରେ ଦୋଷ ଲଦୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କ୍ଲିନଚିଟ୍ ଦେଇଛନ୍ତି ପରିବହନ ମନ୍ତ୍ରୀ । ଗତକାଲି ପରିବହନ ବିଭାଗର ଏକ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେଇଛି । ଘଟଣାସ୍ଥଳ ବୁଲି ଆସିବା ପରେ ପରିବହନ ମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ପାଇଁ ଶକ୍ତି ବିଭାଗ ହିଁ ଦାୟୀ ।

କାହିଁକି ଏଭଳି ଅଘଟଣ ହେଲା ସେନେଇ ତର୍ଜମା କରିବା ପରିବର୍ତ୍ତେ ପରସ୍ପର ଆଡକୁ ଆଙ୍ଗୁଳି ଉଠାଉଛନ୍ତି ତିନି ବିଭାଗ । ଦୁର୍ଘଟଣା ପରେ ୨ ଅଧିକାରୀଙ୍କୁ ନିଲମ୍ବନ କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଆଡକୁ ଦୋଷ ଠେଲିଥିଲା ଶକ୍ତି ବିଭାଗ । ଏବେ ଶକ୍ତି ସଚିବଙ୍କୁ କଡ଼ା ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମ୍ୟ ନିର୍ମାଣର ମୁଖ୍ୟଯନ୍ତ୍ରୀ । ରାସ୍ତାରେ ଓହଳି ଥିବା ତାର ଓ ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀକୁ ତୁରନ୍ତ ହଟାଇ ଦେବାକୁ ଏହି ଚିଠିରେ ଲେଖାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଇଂଜିନିୟରଙ୍କୁ ନଜଣାଇ ଅନେକ ସ୍ଥାନରେ ବିଦ୍ୟୁତ ଖୁଂଟ, ଟ୍ରାନ୍ସଫର୍ମର ଲଗାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଏଣିକି ନିର୍ବାହୀ ଇଂଜିନିୟରଙ୍କ ଲିଖିତ ଅନୁମତି ବିନା ଏପରି କାର୍ଯ୍ୟ ଶକ୍ତି ବିଭାଗ ନକରିବାକୁ କହିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।

ରବିବାର ଦିନ ବ୍ରହ୍ମପୁର ନିକଟ ମେନ୍ଦ୍ରାଜପୁରକୁ ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଘଟଣାରେ ୪ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଛି ।