ଭୋଟ୍ ପାଇଁ ମଟନ ବିରିୟାନୀ ! ରମାଦେବୀରେ ଚାଲିଛି ହାଇବଜେଟ କ୍ୟାମ୍ପେନିଂ, ଲିଙ୍ଗଡୋ କମିସନ ନିୟମକୁ ଖୋଲାଖୋଲି ଉଲ୍ଲଘଂନ

70

କନକ ବ୍ୟୁରୋ : ବାଣୀବିହାର ଓ ବିଜେବି କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାପରେ ସମସ୍ତ ରାଜନୈତିକ ଦଳର ଫୋକସରେ ରହିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ପତିଆରାର ଲଢେଇରେ ସାମିଲ ହୋଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳର ଛାତ୍ର ସଂଗଠନ । କିପରି ଛାତ୍ରୀଙ୍କୁ ଆକୃଷ୍ଟ କରି ଭୋଟ ହାତେଇହେବ ସେ ନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଏଥିପାଇଁ ପ୍ରତିଦିନ ଜମୁଛି ଭୋଜି ଭାରତ ଆସର । ଛାତ୍ରୀଙ୍କୁ ସୁସ୍ୱାଦୁ ଖାଦ୍ୟରେ ଆପ୍ୟାୟିତ କରୁଛନ୍ତି ପ୍ରାର୍ଥୀ । ସମସ୍ତଙ୍କ ହାତରେ ରହିଛି ଖାଇବା ପ୍ଲେଟ । କିଏ ମଟନ ତ ପୁଣି କିଏ ଚିକେନ ଆଉ କିଏ ଖାଉଛି ବିରିୟାନୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ।

ଛାତ୍ର ସଂସଦ ନିର୍ବାଚନରେ ଏଭଳି ବେଧଡକ ଖର୍ଚ୍ଚ ପଛରେ ରହିଛି, ବିଭିନ୍ନ ରାଜନୈତିକ ଦଳର ଛାୟା ସମର୍ଥନ । ଭୋଟ ପାଇଁ ଖୁଲମଖୁଲ୍ଲା ଚାଲିଛି ଭୋଜି ଭାତ ଓ ପ୍ରାର୍ଥୀଙ୍କ ପାଇଁ ପ୍ରଚାର । ଚିକେନ, ମଟନ ଓ ବିରିଆନି ପରସା ଯାଉଛି ଛାତ୍ରୀଙ୍କୁ । ଦିନକ ପରେ ଛାତ୍ର ସଂସଦ ନିର୍ବାଚନ । ତେଣୁ କଲେଜ କ୍ୟାଂପସରେ ଜୋର ଧରିଛି କ୍ୟାମ୍ପେନିଂ । ଆଉ ଭୋଟ ହାତେଇବାକୁ ପ୍ରାର୍ଥୀଙ୍କ ବ୍ୟୟବହୁଳ ପ୍ରଚାରକୁ ନେଇ ଚର୍ଚ୍ଚା ବି ଜୋର ଧରିଛି । ରମାଦେବୀରେ ସିଧା ସଳଖ ବିଜେଡି ଓ ଏବିଭିପି ପ୍ରାର୍ଥୀଙ୍କ ଭିତରେ ଲଢେଇ ହେଉଥିବା ବେଳେ କଂଗ୍ରେସ ସମର୍ଥୀତ ପ୍ରାର୍ଥୀ ମଧ୍ୟ କଡା ଟକ୍କର ଦେଉଛନ୍ତି ।

ସବୁଠାରୁ ବଡକଥା ହେଉଛି ଲିଙ୍ଗଡୋ କମିସନଙ୍କ ନିୟମର ଖୋଲାଖୋଲି ଉଲ୍ଲଂଘନ କରି ଚାଲିଛି ଛାତ୍ରୀଙ୍କ ହାଇ ବଜେଟ କ୍ୟାମ୍ପେନିଂ । ମାଳମାଳ ପୋଷ୍ଟରକୁ ମଟନ ବିରିୟାନୀର ଆସର । ଯିଏ ଯାହା ଡିମାଣ୍ଡ କଲା ସବୁକିଛି ମିଳୁଛି ହାତପାହାନ୍ତାରେ । ଆଉ ଛାତ୍ରୀ ମାନେ ମଧ୍ୟ ଏଭଳି ସୁଯୋଗକୁ ହାତଛଡା କରିବାକୁ ଆଦୌ ଚାହୁଁନାହାନ୍ତି । କାରଣ ପୁଣି ବର୍ଷେ ପରେ ହେବ ନିର୍ବାଚନ । କିନ୍ତୁ ନିର୍ବାଚନରେ ଏତେ ପରିମାଣର ଟଙ୍କା ଖର୍ଚ୍ଚ ହେଉଥିବା ଜାଣି ମଧ୍ୟ ନିଦାବିର୍ଷ୍ଣୁ ସାଜିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ।