ରାତିଅଧିଆ ହାଇକୋର୍ଟ ବିଚାରପତିଙ୍କ ଘରେ ପଶିବା ସିବିଆଇକୁ ମହଙ୍ଗା ପଡିଲା! ରୁଜୁ ହେଲା ମାମଲା । ଓଡିଶା ବ୍ୟାଟଲଗ୍ରାଉଣ୍ଡରେ ସିବିଆଇ ଓ ରାଜ୍ୟ ପୋଲିସର ଲଢେଇ !

32

କନକ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ଲଢେଇ । ବ୍ୟାଟଲଗ୍ରାଉଣ୍ଡ ରହିଛି ଓଡିଶା । ଆଉ ଏହି ବ୍ୟାଟଲଗ୍ରାଉଣ୍ଡରେ ସିବିଆଇ ଓ ରାଜ୍ୟ ପୋଲିସ ମଧ୍ୟରେ ଲଢେଇ ହେବାକୁ ଯାଉଛି । ବିଚାରପତିଙ୍କ ଘରେ ସିବିଆଇ ଅଧିକାରୀମାନେ ରାତି ଅଧରେ ଅନାଧିକାର ପ୍ରବେଶ କରିବା ମାମଲା ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି । ଓଡ଼ିଶା ପୋଲିସ, ସିବିଆଇ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛି । ସେମାନଙ୍କ ବିରୋଧରେ କ୍ରିମିନାଲ ଟେସପାସିଂ ଅର୍ଥାତ୍ ଅପରାଧିକ ଅନୁପ୍ରବେଶ ଦଫାରେ ମାମଲା ରୁଜୁ କରିଛି । ଅର୍ଥାତ୍ ବର୍ତମାନ ପରିସ୍ଥିତିରେ ଓଡିଶା ପୋଲିସ ବନାମ ସିବିଆଇର ଲଢେଇ ଆରମ୍ଭ ହୋଇ ସାରିଛି । ଏହି ମାମଲା ଆଧାରରେ ଓଡ଼ିଶା ପୋଲିସ, ସେହି ସିବିଆଇ ଅଧିକାରୀଙ୍କୁ ଅଭିଯୁକ୍ତ ଭାବରେ ଗ୍ରହଣ କରିବ ।

ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ, ସିବିଆଇ କେନ୍ଦ୍ର ସରକାରଙ୍କ ହାତବାରିଶି ସାଜିଛି । ଯଦି କେତେବେଳେ କୌଣସି ରାଜନୈତିକ ଦଳକୁ ଚୁପ୍ କରିବାକୁ ପଡିଥାଏ ସେତେବେଳେ ସିବିଆଇ କାର୍ଡ ଖେଳନ୍ତି କେନ୍ଦ୍ରରେ ଥିବା ସରକାର । ଯାହାର ଉଦାହରଣ ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି । ସିବିଆଇ କେନ୍ଦ୍ର ସରକାରଙ୍କ ଚାବିଦିଆ କଣ୍ଢେଇ ବୋଲି ଅନେକଥର ଅଭିଯୋଗ ହେଇଛି । ମାତ୍ର ଗୋଟିଏ ଦିନ ପୂର୍ବରୁ, ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ରାଜନୈତିକ ଆକ୍ରୋଶରେ ସିବିଆଇ ଗିରଫ କରିଛି ବୋଲି ଅଭିଯୋଗ ହେବା ପରେ ଏହି ଘଟଣା ସିବିଆଇକୁ ପୁଣି ହରଡଘଣାରେ ପକାଇଦେଇଛି ।

ପୋଲିସ କମିସନର ପ୍ରେସମିଟ୍ କରି କହିଛନ୍ତି-ନିୟମାବଳୀର ଉଲଂଘନ କରି ସିବିଆଇ ଅଧିକାରୀମାନେ ବିଚାରପତିଙ୍କ ଘରେ ପ୍ରବେଶ କରିଛନ୍ତି । ଏନେଇ କଟକର କ୍ୟାନଟନମେଂଟ ଥାନାରେ ମାମଲା ରୁଜୁ କରାଯାଇଛି । ସିବିଆଇ ଇନସ୍ପେକ୍ଟର ପିକେ ମିଶ୍ର ଏବଂ ତାଙ୍କ ଟିମ୍ ବିରୋଧରେ ଏହି ମାମଲା ରୁଜୁ ହୋଇଛି । ଜଷ୍ଟିସ ଆଇଏମ୍ କୁଦ୍ଦୁସିଙ୍କୁ ଖୋଜିବାକୁ ଯାଇ, ସିବିଆଇର ଅଧିକାରୀମାନେ ମଙ୍ଗଳବାର ରାତି ପ୍ରାୟ ୨ଟାରେ ବିଚାରପତି ଚିତରଂଜନ ଦାସଙ୍କ ଘରେ ପ୍ରବେଶ କରିଥିଲେ । କମିସନରେଟ୍ ପୋଲିସ ଆଇପିସିର ଦଫା ୪୪୦, ୩୫୩, ୫୧୧ ଓ ୩୪ ଧାରାରେ ମାମଲା ରୁଜୁ କରିଛି । ଏଥି ସହ ଅପରାଧିକ ଷଡଯନ୍ତ୍ର ଅର୍ଥାତ୍ ୧୨୦-ବି ଦଫାରେ ମାମଲା ରୁଜୁ କରିଛି । ଜଷ୍ଟିସ୍ ଚିତରଂଜନ ଦାସଙ୍କ ବାସଭବନରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କ ବୟାନ ଅଧାରରେ ଏହି ମାମଲା ରୁଜୁ ହୋଇଛି ।

ଏସବୁ ଭିତରେ ବର୍ତମାନ ସିବିଆଇ ଓ ଓଡିଶା ପୋଲିସ ମଧ୍ୟରେ ଲଢେଇ ହେବାକୁ ଯାଉଛି । ବଡ ପ୍ରଶ୍ନ ଉଠୁଛି, ଓଡିଶା ପୁଲିସ ସିବିଆଇକୁ ଜେରା କରିପାରିବ କି? ସିବିଆଇ ଅଧିକାରୀଙ୍କୁ କେମିତି ହେବ ପଚରା ଉଚରା ? କେଉଁ ସ୍ତରର ଅଧିକାରୀ କରିବେ ପଚରାଉଚରା? ସିବିଆଇ ଅଧିକାରୀଙ୍କୁ ଗିରଫ କରି ପାରିବ କି ଓଡିଶା ପୋଲିସ ? ସିବିଆଇ ଏମତି ସାଂଘାତିକ ଭୁଲ କଲା କିଭଳି । ସାତବର୍ଷ ହେଲାଣି ଜଷ୍ଟିସ କୁଦ୍ଦୁସି ବଦଳିହେଲେଣି ତଥାପି ସିବିଆଇ ଜାଣିପାରିଲା ନାହିଁ କିପରି । ଜଣେ ବିଚାରପତିଙ୍କ ସରକାରୀ କ୍ୱାର୍ଟରରେ କିଭଳି ସିବିଆଇ ଅଧିକାରୀ ପଶିବାକୁ ଉଦ୍ୟମ ? ଏହି ଘଟଣାକୁ ରାଜନୈତିକ ରୂପ ଦିଆଯାଉଛି କି ? ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ଏକ ବଡ ପ୍ରଶ୍ନବାଚୀ । ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ବିନା କସରତରେ ସିବିଆଇ ଚଢାଉ ପାଇଁ ଯାଇଥିଲା ।

ତେବେ ଏହି ଘଟଣାକୁ ନେଇ ହାଇକୋର୍ଟ ବାର ଆସୋସିଏସନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଜି ଅପରାହ୍ନ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି । ସେପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ ସିବିଆଇ କହିଛି, ବିଚାରପତିଙ୍କ ଘରେ ପ୍ରବେଶ କରିବା କଥା ଏକ ଗୁଜବ ଏବଂ ଭିତିହୀନ । ସେପଟେ ଆଉ ଏକ ଘଟଣା କ୍ରମରେ ଜଷ୍ଟି ଆଇ. ଏମ.କୁଦ୍ଦୁସିଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ କରିଛି ସିବିଆଇ । ଦିଲ୍ଲୀର ଗ୍ରେଟର କୈଳାସ ସ୍ଥି୍ତ ଘରେ ସିବିଆଇ ଛାପା ମାରିଥିଲା । ଆଇପିସିର ଧାରା ୧୨୦ ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର ମାମଲାରେ ଜଷ୍ଟିସ କୁଦ୍ଦୁସିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।