ସରିଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ : ୫ ସୂତ୍ରୀ ଗୁରୁମନ୍ତ୍ର ଦେବା ସହ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

200

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ । ଏହା ସହ କାଳିଆ ଯୋଜନା ପାଇଁ ଆପତକାଳୀନ ପାଣ୍ଠିରୁ ନିଆଯାଇଥିବା ଟଙ୍କାକୁ ଫେରସ୍ତ ନେଇ ବୈଠକରେ ଅନୁମୋଦନ ମିଳିଛି । ମନ୍ତ୍ରୀଙ୍କ ରିପୋର୍ଟ କାର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।  ଲୋକଙ୍କ ପାଖକୁ ଯାଇ ସମସ୍ୟାର ସମାଧାନ କରିବାକୁ କହିଛନ୍ତି  ନବୀନ ।  ପଞ୍ଚମ ଇନିଂସରେ ସାଧାରଣ ଜନତାଙ୍କୁ ପ୍ରାଥମିକତା ଦେଉଛନ୍ତି ନବୀନ । ବିଜେଡ଼ି ସରକାର ଗଢ଼ିବା ପରେ ନିୟମିତ ରୂପେ ନେତାମନ୍ତ୍ରୀଙ୍କ କ୍ଲାସ୍ ନେଉଛନ୍ତି ସୁପ୍ରିମୋ । ଜନତାଙ୍କ ସୁଖ ସୁବିଧାରେ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ।

ବିପଦ ଆପଦ ସମୟରେ ଲୋକଙ୍କ ମନ ଜିଣିବା ସହ କାର୍ଯ୍ୟଧାରାକୁ ସୂଚାରୁ ରୂପେ ତୁଲାଇବା ପାଇଁ  ଲୋକଙ୍କ ସହ ସମ୍ପର୍କରେ ରହିବା ଆବଶ୍ୟକ । ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଅ, ଲୋକଙ୍କୁ ଗୁରୁତ୍ୱ ଦିଅ, ଆଉ ଲୋକଙ୍କ ପାଇଁ କାମ କର ବୋଲି ନବୀନ ପ୍ରଥମରୁ ନେତାମନ୍ତ୍ରୀଙ୍କୁ ପରାମର୍ଶ ଦେଉଛନ୍ତି । ଆଜି ବି ମନ୍ତ୍ରୀପରିଷଦ ବୈଠକରେ ସମାନ କଥା ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ମନ୍ତ୍ରୀମାନଙ୍କୁ ୫ ସୂତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

– ରାଜ୍ୟର କୋଣ ଅନୁକୋଣକୁ ଅଧିକ ଗସ୍ତ କରିବା ପାଇଁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯଦ୍ୱାରା ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ବିଷୟରେ ବୁଝିବା ସହଜ ହେବ । ତୃଣମୂଳ ସ୍ତରରେ ପ୍ରତ୍ୟେକ୍ଷ ରୂପେ ଜଡ଼ିତ ହେଲେ ବିଭାଗର କାମ ବିଷୟରେ ତଦାରଖ କରିହେବ ।

– ମନ୍ତ୍ରୀମାନେ କାର୍ଯ୍ୟାଳୟ କିମ୍ବା କୌଣସି ଅନୁଷ୍ଠାନକୁ ଅଚାନକ୍ ପରିଦର୍ଶନ କରିବା ଉଚିତ । ଅଚାନକ୍ ପରିଦର୍ଶନ ସରକାରୀ ସେବାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ।

– ମନ୍ତ୍ରୀ ପରିଷଦ ବୈଠକରେ ଲୋକଙ୍କ ସୁବିଧା ଅସୁବିଧାକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ଭେଟି, ଲୋକଙ୍କ ସମସ୍ୟା ବୁଝିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିଧାସଳଖ ଲୋକଙ୍କ ସହ ମିଶି ପ୍ରତିକ୍ରିୟା ନେବା ଜରୁରୀ ।

– ବର୍ତ୍ତମାନ ପାଇଁ ରାଜ୍ୟରେ ପରିବର୍ତ୍ତନ ପାଇଁ ୫-ଟି ଗୁରୁତ୍ୱପୂର୍ଣ୍ଣ । ବ୍ୟକ୍ତିଗତ ଭାବେ ୫-ଟି ଗୁରୁତ୍ୱ ଦେବାକୁ ପଡ଼ିବ ।

– ସ୍ୱଚ୍ଚତା ଓ ଦକ୍ଷତା ପାଇଁ କମ୍ପ୍ୟୁଟରାଇଜେସନ୍ ଜରୁରୀ । ଶତ ପ୍ରତିଶତ କାମ oswas ଜରିଆରେ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।