ରାୟଗଡାରେ ବନ୍ୟା ପରିସ୍ଥିତି ଉପରେ ସରକାରଙ୍କ ସତର୍କ ନଜର! ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ସିଆରପିଏଫ, ଓଡ୍ରାଫ, ବାୟୁସେନା ଓ ନୌସେନା ନିୟୋଜିତ

18

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ରାୟଗଡାରେ ବନ୍ୟା ପରିସ୍ଥିତି । ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ଓ ରାୟଗଡା ବ୍ଲକରେ ବନ୍ୟା ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ସରକାର । ସଜାଗ ହୋଇଛି ରାଜ୍ୟସ୍ତରୀୟ କମାଣ୍ଡ କଂଟ୍ରୋଲ ସିଷ୍ଟମ । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ ରଖି ଜୋରଦାର ହୋଇଛି ଉଦ୍ଧାର ଓ ରିଲିଫ କାର୍ଯ୍ୟ । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ସିଆରପିଏଫ, ଓଡ୍ରାଫ, ବାୟୁସେନା ଓ ନୌସେନାକୁ ନିୟୋଜିତ କରାଯାଇଛି । ୪ଟି ବାୟୁସେନା ହେଲିକପ୍ଟର ଯୋଗାଇ ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ।

 ମୋଟ ୧୨ଟି ଗାଁ ବନ୍ୟାପାଣି ଘେରରେ ରହିଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । କଲ୍ୟାଣସିଂପୁର ବ୍ଲକର ୯ଟି ଓ ରାୟଗଡା ବ୍ଲକର ୩ଟି ଗାଁ ପ୍ରଭାବିତ ହୋଇଛି । ଏହା ମଧ୍ୟରୁ କଲ୍ୟାଣସିଂପୁର, ଜିଲୁଣ୍ଡା ଓ ବୁଡାଗୁଡା ଗାଁ ସଂପୂର୍ଣ୍ଣ ଜଳମଗ୍ନ ହୋଇ ରହିଛି । କଲ୍ୟାଣସିଂପୁରରେ ଏକ ବ୍ରିଜ ଧୋଇଯିବା ଫଳରେ ଏହି ବ୍ଲକକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ସେହିପରି ରାୟଗଡାରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତା ଉପରେ ୧ ଫୁଟ ଉଚ୍ଚର ବନ୍ୟାପାଣୀ ପ୍ରବାହିତ ହେଉଥିବାରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।