ଉତ୍ତର ଭାରତରେ ପ୍ରବଳ ତୁଷାରପାତ । ଜଣେ ଛାତ୍ରଙ୍କ ମୃତ, ୫ ଉଦ୍ଧାର

103

କନକ ବ୍ୟୁରୋ : ସାରା ଦେଶରେ ଶୀତ ଲହରୀ ଜାରି ରହିଛି । ଦେଶର ଉତ୍ତରପୂର୍ବ ରାଜ୍ୟ ଗୁଡିକର ଅନେକ ସ୍ଥାନରେ ତୁଷାରପାତ ହେଉଥିବା ଖବର ବି ନିୟମିତ ପ୍ରକାଶ ପାଉଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଗତ କିଛିଦିନ ଧରି ପ୍ରବଳ ବରଫପାତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଉତ୍ତରକାଶୀର ବାଦକୋଟ୍ ସହର ସ୍ଥିତ ଆଇଟିଆଇ ସେଣ୍ଟର ନିକଟରେ ବରଫ ଗଦାରେ ଫସିଯିବା ହେତୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଆହୁରି ୫-୬ ଜଣ ଛାତ୍ର ବରଫଗଦାରେ ଫସିଥିଲେ ମଧ୍ୟ ସେମାନଙ୍କୁ ଏସ୍ଡିଆରଏଫ୍ ଟିମ୍ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ ନାମ ଅନୁଜ ସେମୱାଲ। ଗତ କିଛି ଦିନ ଧରି ଉତ୍ତରକାଶୀ, ଚାମୋଲି, ନୈନିତାଲରେ ପ୍ରବଳ ବରଫପାତ ହେଉଛି।