ଧୋନୀଙ୍କ ବାଟ ଓଗାଳିଛି କିଏ? ଯଦି ଆଇପିଏଲରେ ଖେଳିବେ ତେବେ ଟି-୨୦ରେ ଖେଳୁନାହାନ୍ତି କାହିଁକି ? ଗାଭାସ୍କର ପ୍ରଶ୍ନ ଉଠାଇବା ପରେ ଜୋର ଧରିଲାଣି ଚର୍ଚ୍ଚା

1,753

କନକ ବ୍ୟୁରୋ: ଧୋନୀଙ୍କୁ ନେଇ ପୁଣି ଥରେ ଉଠିଛି ପ୍ରଶ୍ନ । ଏହି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର । ବାସ୍ତବରେ ଧୋନୀଙ୍କୁ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ ପାଇଁ ଅଟକାଉଛି କିଏ ? କେଉଁ ବ୍ୟକ୍ତି ଏଥିରେ ବାଧା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର । ଏହି ପ୍ରଶ୍ନ ସହିତ ଗାଭାସ୍କର କହିଛନ୍ତି ଏହା ହେଉଛି ପ୍ରଶ୍ନ ଏବଂ ଏହା ଭିତରେ ବି ଲୁଚି ରହିଛି ଉତ୍ତର ।

ଗତ ଜୁଲାଇ ୯ ତାରିଖରେ ନ୍ୟୁଜିଲାଣ୍ଡରେ ୨୦୧୯ ବିଶ୍ୱକପ୍ ସେମି ଫାଇନାଲ୍ ମ୍ୟାଚ୍ ଖେଳିଥିଲା ଭାରତ । ବିଶ୍ୱକପ୍ ସେମିରେ ବଡ ପରାଜୟ ପରଠାରୁ ଧୋନୀ ଆଉ ଟିମଇଣ୍ଡିଆକୁ ଫେରିନାହାନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଏତେ ଲମ୍ବା ଛୁଟିର ବ୍ୟବଧାନକୁ ନେଇ ଖାସ୍ କରି ପ୍ରଶ୍ନ ଉଠାଇଛନ୍ତି ଗାଭାସ୍କର । ସୂଚନା ଅନୁସାରେ ଧୋନୀ ସିଧାସଳଖ ଆଗାମୀ ଆଇପିଏଲରେ ପଡିଆକୁ ଓହ୍ଲାଇବେ ବୋଲି ଜଣାପଡିଛି । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଧୋନୀ ଆଗାମୀ ଟି ୨୦ ବିଶ୍ୱକପ୍ ଖେଳିବେ ନା ନାହିଁ । ଯାହା ଏବେ ପୁଣି ଏକ ବଡ ପ୍ରଶ୍ନ ହୋଇ ଠିଆ ହେଲାଣି । କାରଣ ଗତ ବିଶ୍ୱକପ୍ ବେଳକୁ ଧୋନୀଙ୍କୁ ହୋଇଥିଲା ୩୮ ବର୍ଷ । ଆସନ୍ତା ଟି ୨୦ ବିଶ୍ୱକପ୍ ବେଳକୁ ଧୋନୀ ୪୦ ବର୍ଷର ନିକଟତର ହୋଇ ସାରିଥିବେ । ବିଶ୍ୱ ଟି-୨୦ ଖେଳିବାକୁ ହେଲେ ଉତ୍ତମ ଅଭ୍ୟାସ, ଫର୍ମ, ଫିଟନେସ୍ ସବୁକିଛି ଠିକ୍ ରହିବା ବି ଜରୁରୀ ।

ତେବେ ଫିଟନେସ୍ ଏପରି ଏକ ଜିନିଷ ଯାହାକୁ ନେଇ କିଛି କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି ଗାଭାସ୍କର । ଏପରି କ୍ଷେତ୍ରରେ ଗତ ୧୦ ଜୁଲାଇରୁ ଧୋନୀ ବିଶ୍ୱ କ୍ରିକେଟରୁ ଦୂରେଇ ରହି କିପରି ନିଜକୁ ଆଗାମୀ ଟି ୨୦ ବିଶ୍ୱକପ୍ ପାଇଁ ତିଆରି କରିବେ ତାହା ମଧ୍ୟ ସୃଷ୍ଟି କରିଛି ପ୍ରଶ୍ନବାଚୀ । ନୂଆଦିଲ୍ଲୀରେ ୨୬ ତମ ଲାଲବାହାଦୂର ସ୍ମାରକ ଅଭିଭାଷଣ ରଖିବା ପରେ ପରେ ଗଣମାଧ୍ୟମ ପ୍୍ରଶ୍ନର ଜବାବରେ ଏପରି କହିଛନ୍ତି ଗାଭାସ୍କର । କିଛି ଦିନ ତଳେ ଗାଭାସ୍କର ଇସାରା କରିଥିଲେ ଧୋନୀଙ୍କ ଦିନିକିଆ କ୍ୟାରିୟର ହୁଏତ ଶେଷ ହୋଇଯାଇପାରେ କିନ୍ତୁ ସେ ଟି-୨୦ ବିଶ୍ୱକପ୍ ପାଇଁ ଦଳରେ ରହିବେ ଯଦି ଭଲ ଫର୍ମରେ ଥାଅନ୍ତି ।