ୟୁରୋପରେ ଭୟଙ୍କର ବରଫପାତ ! ୧୫ଟି ଦେଶରେ ମାଇନସ୍ ୨୦ ଡିଗ୍ରୀ ତଳେ ପାରଦ

46

କନକ ବ୍ୟୁରୋ : ୟୁରୋପରେ ଭୟଙ୍କର ବରଫପାତ । ଅଧିକାଂଶ ୟୁରୋପୀୟ ଦେଶରେ ଏବେ ବରଫପାତ ଜାରି ଥିବାବେଳେ ୫୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଉଛି । ବରଫ ଚାଦର ତଳେ ୟୁରୋପ୍ ଘୋଡ଼େଇ ହୋଇରହିଛି  । ଏହାର ପ୍ରଭାବ ସାଧାରଣ ଜନଜୀବନ ଉପରେ ପଡ଼ି ଥିବା ବେଳେ ଅଧିକାଂଶ ଦେଶରେ ବିମାନଚଳାଚଳ ଉପରେ ରୋକ୍ ଲଗାଯାଇଛି ।

ୟୁରୋପ୍ ଘୋଡ଼େଇ ହୋଇଛି ବରଫ ଚାଦର । ମାଇଲ୍ ମାଇଲ୍ ବ୍ୟାପୀ ହଜି ଯାଇଛି ମାଟି । ଦିଶୁଛି କେବଳ ବରଫର ଧଳା ଚାଦର । ମାତ୍ର ଦୁଇ ଦିନରେ ୩୦୦ରୁ ଉଦ୍ଧ୍ୱ ଫ୍ଲାଇଟ୍ ବାତିଲ୍ ହୋଇଥିବା ବେଳେ ନେଦରଲ୍ୟାଣ୍ଡରେ ତାପମାତ୍ରା ମାଇନସ୍ ୪୩ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଅନୁରୂପ ଭାବେ ବ୍ରିଟେନ ରେତାପମାତ୍ରା ୫୦ ବର୍ଷ ତଳର ରେକର୍ଡ ଭାଂଗିବା ଜଣାପଡ଼ିଛି । ବ୍ରିଟେନ୍, ଇଟାଲୀ, ପୋଲାଣ୍ଡ, ନେଦରଲ୍ୟାଣ୍ଡ, ଜର୍ମାନି, ଆୟାରଲ୍ୟାଣ୍ଡ ଓ ସ୍ୱିଜରଲ୍ୟାଣ୍ଡ ପରି ଅଧିକାଂଶ ୟୁରୋପୀୟ ଦେଶରେ ବରଫପାତ ଜାରି ରହିଛି । ଏହି ଘଟଣାରେ ୫୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି ।

ୟୁରୋପରେ ସ୍ଥିତି ସଙ୍ଗୀନ୍ । ପାରଦର ଗତି ତଳକୁ ତଳକୁ ହୋଇଚାଲିଛି । ଏହାର କିଭଳି ମୁକାବିଲା କରିବା ସାଧାରଣ ମଣିଷ ତାକୁ ନେଇ ଏବେ ଚିନ୍ତା । ଗଛଲତା ପାହାଡ଼ ଓ ଜନବସତି ବରଫାଚ୍ଛନ୍ନ ହୋଇଥିବା ବେଳେ ଜୀବନଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଏବେବି ପ୍ରବଳ ଶୀତ ସହ ତୁଷାରପାତ ଜାରି ରହିଛି ୟୁରୋପରେ । ଡବ୍ଲିନ, ଆମଷ୍ଟରଡାମ୍, ରୋମ୍, ମୋଂଟ୍ ପେଲିୟର୍, ଲିଥୌନିୟା, ପ୍ୟାରିସ୍ ପରି ୟୁରୋପୀୟ ସହରରେ ବରଫପାତ ପ୍ରଭାବରେ ଜୀବନଯାତ୍ରା ଏକପ୍ରକାର ଅଚଳ ହୋଇଯାଇଛି । ରାସ୍ତାରେ ବରଫ ଜମି ରହିବା କାରଣରୁ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଆଂଟାର୍କାଟିକା ଅବବାହିକାରେ ଲଘୁଚାପ ଯୋଗୁଁ ୟୁରୋପଆଡ଼କୁ ଶୀତଳବାୟୁ ଅଧିକ ପ୍ରବାହିତ ହେଉଛି । ଏହି କାରଣରୁ ୟୁରୋପରେ ପ୍ରବଳ ବରଫପାତ ହେଉଥିବା ପାଣି ପାଗ ବିଶେଷଜ୍ଞ କହିଛନ୍ତି । ବରଫପାତର ମାତ୍ରା ଏତେଅଧିକ ରହିଛି ଯେ କିଛିସ୍ଥାନରେ ନଦୀ ଓ ସମୁଦ୍ର ପାଣି ମଧ୍ୟ ବରଫ ପାଲଟିଯାଇଛି । ରାସ୍ତାକଡ଼ରେ ଜୀବନ ଅତିବାହିତ କରୁଥିବା ଗୃହହୀନଙ୍କ ପାଇଁ ବିଭିନ୍ନ ଦେଶରେ ସ୍ୱତନ୍ତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା କରିଛି ସ୍ଥାନୀୟ ପ୍ରଶାସନ । ଅନ୍ୟପଟେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ଲୋକଙ୍କର ବଢ଼ିଯାଇଛି ଚିନ୍ତା ।