ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦକୁ ନେଇ ତେଜିଲା ଅସନ୍ତୋଷ । ଥଇଥାନ ଦାବିରେ ଥାନା ଘେରାଉ କଲେ ଦୋକାନୀ

ସାମିଲ ହେଲେ ରାଜ ନେତା, ସେପଟେ ପୁରୀରେ ମଙ୍ଗୁମଠ ଭଙ୍ଗା ଜାରି

125

କନକ ବ୍ୟୁରୋ: ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦକୁ ନେଇ ତେଜିଲା ଅସନ୍ତୋଷ । ଥଇଥାନ କରିବା ଦାବିରେ ଥାନା ଘେରାଉ କଲେ ଦୋକାନ ହରାଇଥିବା ବ୍ୟବସାୟୀ । ଦୋକାନୀ ମାନଙ୍କୁ ଥଇଥାନ ନକରି ଉଛେଦ କରାଯାଉଥିବାରୁ ଏହାକୁ ସେମାନେ ବିରୋଧ କରୁଛନ୍ତି  । ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନେତା ।

ଭଜନ ମଣ୍ଡପ ନିର୍ମାଣ ଓ ଥଇଥାନ ନକରିବା ଯାଏଁ ଉଚ୍ଛେଦ ବନ୍ଦ ରଖିବାକୁ ସେମାନେ ଦାବି କରିଛନ୍ତି । ଏଥିପାଇଁ ପ୍ରଶାସନ ଆଲୋଚନା କରୁ ବୋଲି ଦାବି କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ପୋଲିସ ଫୋର୍ସ ମୁତୟନ କରିଛି ପ୍ରଶାସନ । ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ସରକାରୀ ଜମିକୁ ମାଡିବସିଥିବା ମାର୍କେଟ କମ୍ପଲେକ୍ସର ଦୋକନ, କୋଠା ଆଦିକୁ ଉଚ୍ଛେଦ କରୁଛି ପ୍ରଶାସନ । ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ୭୫ ମିଟର ପର୍ଯ୍ୟନ୍ତ ଅଂଚଳକୁ ସଫା କରିବାକୁ ଯୋଜନା କରିଛନ୍ତି ସରକାର ।

ସେପଟେ, ପୁରୀରେ ଆଜି ବି ମଙ୍ଗୁମଠର ଉଛେଦ ଜାରି । ମଠର ଅବଶିଷ୍ଟ ଅଂଶକୁ ଆଜି ଭଙ୍ଗାଯାଉଛି । ଏଥିପାଇଁ ଭଙ୍ଗା ଯାଉଥିବା ଅଂଚଳକୁ ସିଲ କରିଛି ପ୍ରଶାସନ । ମଠରେ ଥିବା ଲଜ୍, ହୋଟେଲ୍, ରେଷ୍ଟୁରାଂଟ ସହ ପ୍ରାୟ ୨୦ଟି ଦୋକାନକୁ ଭଙ୍ଗାଯାଉଛି । ତେବେ ଠାକୁରଙ୍କ ବିଜେସ୍ଥଳୀକୁ ବାଦ ଦିଆଯାଇ ଆଉ ସବୁ ନିର୍ମାଣ ଭଙ୍ଗାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଗତକାଲି ମନ୍ଦିରର ପ୍ରାୟ ୫୦ ପ୍ରତିଶତ ଅଂଶକୁ ଭଙ୍ଗା ଯାଇଥିଲା ।