ପୁରାଣର କଥା ଉପରେ ମୋହର ଲଗାଇଲା ବିଜ୍ଞାନ ! ୭ ହଜାର ବର୍ଷ ତଳେ ଶ୍ରୀଲଙ୍କାକୁ ବନ୍ଧା ଯାଇଥିଲା ସେତୁବନ୍ଧ

199

କନକ ବ୍ୟୁରୋ :  ରାମାୟଣରେ ବର୍ଣ୍ଣନା ରହିଛି ମାତା ସୀତାଙ୍କୁ ଲଙ୍କାର ରାକ୍ଷସ ରାଜା ରାବଣ କବଳରୁ ମୁକ୍ତ କରିବା ପାଇଁ ପ୍ରଭୁ ଶ୍ରୀରାମ ଲଙ୍କାକୁ ବନ୍ଧ ବାନ୍ଧିଥିଲେ । ପୁରାଣ ବର୍ଣ୍ଣିତ ରାମସେତୁ ସତ ନା କାହାଣୀ ଏ ନେଇ ବିତର୍କ ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଆମେରିକାର ଭୂତତ୍ୱବିତ୍ ଓ ପ୍ରତ୍ନତତ୍ୱବିତ୍ ଏ ନେଇ ଯେଉଁ ମତ ଦେଇଛନ୍ତି, ତାହା ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି । ନାସାର ସାଟେଲାଇଟ୍ ଇମେଜ୍ ଆଧାରରେ ଡିସ୍କୋଭରି କମୁନିକେସନର ସାଇନ୍ସ ଚ୍ୟାନେଲରେ ୨ ମିନିଟର ଭିଡିଓରେ ରିଲିଜ୍ ହୋଇଛି । ଭୂତତ୍ୱବିତ୍ ଓ ସମୁଦ୍ର ବିଜ୍ଞାନୀମାନଙ୍କ ଗବେଷଣା କହୁଛି ଏହା ପ୍ରକୃତିର କରିସ୍ମା ନୁହେଁ, ବରଂ ଏହି ବନ୍ଧ ମଣିଷ ତିଆରି । ରାମାୟଣର ବର୍ଣ୍ଣନାକୁ ବି ଏହି ଭିଡିଓରେ ଉଲ୍ଲେଖ କରାଯାଇଛି ।

ହିନ୍ଦୁ ଧର୍ମରେ ବର୍ଣ୍ଣନା ରହିଛି ଯେ ପ୍ରଭୁ ରାମ ଏଠାରେ ବନ୍ଧ ବାନ୍ଧିଥିଲେ । ଏହି ବନ୍ଧ ଭାରତ ଓ ଶ୍ରୀଲଙ୍କାକୁ ସଂଯୋଗ କରିଥିଲା । ଭାରତର ରାମେଶ୍ୱରମ ନିକଟ ପମ୍ବନ ଆଇଲ୍ୟାଣ୍ଡ ଏବଂ ଶ୍ରୀଲଙ୍କାର ମାନ୍ନାର ଆଇଲ୍ୟାଣ୍ଡ ମଧ୍ୟରେ ରହିଛି ୫୦ କିଲୋମିଟର ରାମ ସେତୁ । ଏହି ଆଶ୍ଚର୍ଯ୍ୟଜନକ ସେତୁ ଭାରତର ଭୂଭାଗକୁ ଶ୍ରୀଲଙ୍କା ଭୂଭାଗ ସହ ଯୋଡିଛି । ତଳେ ବାଲୁକା ଶଯ୍ୟା ରହିଛି ଉପରେ ରହିଛି ପଥର । ଗବେଷଣା କହୁଛି ବନ୍ଧର ତଳଭାଗରେ ଥିବା ବାଲୁକା ପ୍ରାକୃତିକ ହୋଇପାରେ, ମାତ୍ର ଉପରେ ଥିବା ପଥରବନ୍ଧ ମାନବ କୃତ । ଆଉ ଏହି ପଥର ଅନ୍ୟ ସ୍ଥାନରୁ ଆସି ଏଠାରେ ଖଂଜାଯାଇଛି ।

ବାଲୁକା ଶଯ୍ୟା ଉପରେ ଯେଉଁ ପଥର ରଖାଯାଇଛି. ତାହା ଅନ୍ୟ ସ୍ଥାନରୁ ଆଣି ରଖାଯାଇଛି ।ସାଟେଲାଇଟ୍ ଇମେଜକୁ ନେଇ ରାମ ସେତୁର ସତ ଉଦଘାଟନ କରିବାକୁ ଉଦ୍ୟମ କରିଛି ଏହି ଭିଡିଓ । ବୈଜ୍ଞାନିକମାନେ ସେତୁର ତଳ ଭାଗରେ ଥିବା ବାଲି ଏବଂ ଉପରେ ଥିବା ପଥରକୁ ନେଇ ଗବେଷଣାରୁ ଯେଉଁ ତଥ୍ୟ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି।

ତଳେ ଥିବା ବାଲି ଅପେକ୍ଷା ଉପରେ ବିଛା ଯାଇଥିବା ପଥର ବହୁପୁରୁଣା । ତେଣୁ ଏହା ଆଉ ଏକ କାହାଣୀ ବର୍ଣ୍ଣନା କରୁଛି । ଗବେଷଣାରୁ ଜଣାପଡିଛି ଯେ ସେତୁର ତଳ ଭାଗର ବାଲୁକା ଶଯ୍ୟା ୪୦୦୦ ବର୍ଷ ପୁରୁଣା ହୋଇଥିବା ବେଳେ ଉପରେ ଥିବା ପଥର ବା ଲାଇମ୍ ଷ୍ଟୋନ ୭୦୦୦ ବର୍ଷ ପୁରୁଣା । ସାଇନ୍ସ ଚ୍ୟାନେଲର ଭିଡିଓରେ ବର୍ଣ୍ଣନା କରାଯାଇଛି ଯେ ଏହା ମଣିଷକୃତ ସେତୁ ଏବଂ ସୁପର ହ୍ୟୁମାନ ଦ୍ୱାରା ହୋଇଛି ଏହି ନିର୍ମାଣ । ନାସାର ବୈଜ୍ଞାନିକ ଯେଉଁ ଅନୁଧ୍ୟାନ କରିଛନ୍ତି, ତାହା ୭୦୦୦ ବର୍ଷ ତଳର ରାମାୟଣର ବର୍ଣ୍ଣନାକୁ ମଜଭୁତ କରିଛି । ପୁରାଣ କଥାକୁ ଆଜି ପ୍ରମାଣ କରିଛନ୍ତି ବିଜ୍ଞାନୀ ।