ଋଣ ସୁଧ ହାର କମାଇଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ! ଏଣିକି ଶସ୍ତା ହେବ ଗୃହଋଣ କିସ୍ତି । 

163

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର ୦.୦୫ ପ୍ରତିଶତ ବା ୫ ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ ମିଆଦ ପାଇଁ ବ୍ୟାଙ୍କର ଏମସିଏଲଆର ( ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ) ୮.୫୦ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବରୁ ଏହା ୮.୫୫ ପ୍ରତିଶତ ଥିଲା । ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧୦ରୁ ଏହା ଲାଗୁ ହେବ । ଅନ୍ୟପକ୍ଷରେ ଷ୍ଟେଟ ବ୍ୟାଙ୍କ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ଉପରେ ସୁଧ ହାର ୧୦ ବେସିସ ପଏଣ୍ଟ ବା ୦.୧ ପ୍ରତିଶତ ହ୍ରାସ କରିଛି ।

ଏହା ଫଳରେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧହାର ୮.୬୦ରୁ ୮.୯୦ ପ୍ରତିଶତ ମଧ୍ୟରେ ରହିବ । କିଛି ଦିନ ପୂର୍ବେ ରିଜର୍ଭ ବ୍ୟାଙ୍କ ନିଜର ରେପୋ ହାର (ଯେଉଁ ହାରରେ ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣନ୍ତି) ୨୫ ବେସିସ ପଏଣ୍ଟ ହ୍ରାସ କରି ୬ ପ୍ରତିଶତ କରିଥିଲା । ରେପୋ ହାର ହ୍ରାସ ପରେ ବାଣିଜ୍ୟିକ ବ୍ୟାଙ୍କ ମାନେ ସୁଧହାର ହ୍ରାସ କରିବେ ବୋଲି ଆଶା କରାଯାଉଥିଲା ।