ଭାଉଜଙ୍କ ରଣନୀତି ଆଗରେ ଫେଲ୍ ମାରିଲା ଦିଅରଙ୍କ ଲୋକପ୍ରିୟତା । ଦୀର୍ଘ ୧୦ ବର୍ଷ ପରେ ବଲାଙ୍ଗୀର ସିଂହାସନ ଦଖଲ କଲେ ପାଟଣାଗଡ ରାଣୀ ।

583

କନକ ବ୍ୟୁରୋ :  ବଲାଙ୍ଗୀରରେ ଭାଉଜ ଜିତିଲେ, ଦିଅର ହାରିଲେ । ଭାଉଜଙ୍କ ନିର୍ବାଚନ ରଣନୀତି ଆଗରେ ଫେଲ୍ ମାରିଲା ଦିଅରଙ୍କ ଲୋକପ୍ରିୟତା । ପାଟଣାଗଡ ରାଣୀ ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ବଲାଙ୍ଗୀର ସିଂହାସନ ଦଖଲ କରିଥିବା ବେଳେ ବଲାଙ୍ଗୀର ଯୁବରାଜଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି । କଡା ମୁକାବିଲା ମଧ୍ୟରେ ୧୯୫୧୬ ଖଣ୍ଡ ଭୋଟରେ ଦିଅର କଳିକେଶ ନାରାୟଣ ସିଂହଦେଓଙ୍କୁ ମାତ୍ ଦେଇ ଭାଉଜ ସଙ୍ଗୀତା ସିଂହଦେଓ ବିଜୟ ସୂଚକ ଚୌକା ମାରିଛନ୍ତି । ଆଉ ଏହାସହ କଡ ଲେଉଟାଇଛି ବଲାଙ୍ଗୀର ରାଜନୀତି । ତେବେ ପୁଣିଥରେ ଏହି ଆସନ ରାଜପରିବାର ମଧ୍ୟରେ ହିଁ ସୀମିତ ରହିଛି ।

ବଲାଙ୍ଗୀର ଆସନରେ ବିଜେପି-ବିଜେଡି ମେଣ୍ଟ ଥିବା ବେଳେ ପାଟଣାଗଡ ରାଣୀ ତଥା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଲଗାତାର ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ବିଜୟର ହ୍ୟାଟ୍ରିକ ମାରିଥିଲେ । ତେବେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବଦଳିଥିଲା ସଙ୍ଗୀତ ସିଂହଦେଓଙ୍କର ଭାଗ୍ୟ । ରାଜନୀତିର ଏହି ପୋଖତ ଖେଳାଳିଙ୍କ ଫେଲ ମାରିଥିଲା ନିର୍ବାଚନ ରଣନୀତି । ମେଣ୍ଟ ଭାଙ୍ଗିବା ପରେ ସଙ୍ଗୀତାକୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ଦିଅର ତଥା ବଲାଙ୍ଗୀର ରାଜକୁମାର କଳିକେଶ ନାରାୟଣ ସିଂହଦେଓଙ୍କୁ ସଙ୍ଗୀତାଙ୍କ ବିରୋଧରେ ପ୍ରାର୍ଥୀ କରି ବିଜେଡି ଛାଡିଥିଲା ବଡ ବ୍ରହ୍ମାସ୍ତ୍ର । ଯେଉଁଥିରେ ବାଜି ମଧ୍ୟ ମାରିଥିଲା ବିଜେଡି । ପ୍ରଥମ ଥର ପାଇଁ ସାଂସଦ ପ୍ରାର୍ଥୀ ହୋଇଥିବା କଳିକେଶ ଭାଉଜ ସଙ୍ଗୀତାଙ୍କୁ ମାତ୍ ଦେଇ ବିଜେଡିର ବିଜୟ ଅଭିଯାନ ଆରମ୍ଭ କରିଥିଲେ । ଆଉ ଏହାପରେ କଳିକେଶଙ୍କ ବିଜୟ ରଥରେ ଲାଗିନଥିଲା ବ୍ରେକ । ୨୦୧୪ରେ ମଧ୍ୟ ପୁର୍ନବାର ଭାଉଜ ସଙ୍ଗୀତାଙ୍କୁ ମାତ୍ ଦେଇ ଦିଲ୍ଲୀ ଦରବାରରେ ପହଞ୍ଚିଥିଲେ କଳିକେଶ ।

ଏସବୁ ଭିତରେ ୨୦୧୯ ନିର୍ବାଚନ ଫଳାଫଳ ସହ ବଲାଙ୍ଗୀରରେ ରାଜପରିବାରକୁ ଲାଗିଛି ବଡ ଝଟକା ।  ପୂର୍ବରୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବଲାଙ୍ଗୀର ରାଜପରିବାରର ଯେଉଁ ଦବଦବା ରହିଥିଲା ସେଥିରେ ଲାଗିଛି ବ୍ରେକ । ବିଜେଡିରୁ ଉଭୟ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ହୋଇଥିବା ଦୁଇ ଭାଇ କଳିକେଶ ନାରାୟଣ ସିଂହଦେଓ ଓ ଅର୍କେଶ ସିଂହଦେଓଙ୍କୁ ରିଜେକ୍ଟ କରିଛନ୍ତି ଭୋଟର । ସେହିଭଳି ପାଟଣାଗଡ ବିଧାନସଭା ଆସନରୁ ଲଗାତାର ଜିତି ଆସୁଥିବା ବିଜେପିର ହେଭିୱେଟ କେଭିଙ୍କୁ ମଧ୍ୟ ପ୍ରତ୍ୟାଖାନ କରିଛନ୍ତି ଜନତା ।