ବିଜୟ ବ୍ୟବଧାନ ‘ଲକ୍ଷେ ପ୍ଲସ୍’ । କେଉଁଠି ଅଭିଜ୍ଞ ନେତା ମାତ୍ ଖାଇଲେ, କେଉଁଠି ନବାଗତ କଲେ କମାଲ?

585

କନକ ବ୍ୟୁରୋ : ଭୋଟ ଗଣତି ସରିଛି, ରେଜଲ୍ଟ ଆସିଛି । କିଛି ପୁରୁଖା ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି ତ ପୁଣି କିଛି ନୂଆ ନେତା ବିଜୟ ସହ ଆରମ୍ଭ କରିଛନ୍ତି ନିଜର ରାଜନୀତି କ୍ୟାରିୟର । କିଏ ଅଳ୍ପ କିଛି ଭୋଟରେ ପରାସ୍ତ ହୋଇ ଆଉ ୫ ବର୍ଷର ଅପେକ୍ଷାରେ ରହିଛି ତ ପୁଣି କିଏ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟ ସହ ରେକର୍ଡ ସୃଷ୍ଟି କରିଛି । ଚଳିତଥର ଓଡିଶା ନିର୍ବାଚନରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା । ପୂର୍ବରୁ ଏକପାଖିଆ ଜିତି ଆସୁଥିବା ବିଜେଡିକୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ଖାସକରି ଲୋକସଭା ଆସନରେ । ମାତ୍ର ୨ଟି ଆସନକୁ ଛାଡିଦେଲେ ବଳକା ୨୧ ଆସନରେ ବିଜେଡି ସହ ଟପ୍ ଫାଇଟ୍ କରିଥିଲା ବିଜେପି । କିନ୍ତୁ ଏହି ଟପ୍ ଫାଇଟ ମଧ୍ୟରେ କିଛି ପ୍ରାର୍ଥୀ ଏମିତି ଥିଲେ ଯିଏ ଲକ୍ଷାଧିକ ଭୋଟରେ ବାଜି ମାରିବା ସହ ଦଳକୁ ଦେଇଛନ୍ତି ଶାନଦାର ବିଜୟ ଭେଟି । ନିର୍ବାଚିତ ହୋଇଥିବା ୨୧ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀ ଲକ୍ଷାଧିକ ଭୋଟରେ ବିଜୟୀ ହେବା ସହ ନିଜର ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି । ଯେଉଁ ତାଲିକାରେ କିଛି ପୁରୁଖା ଓ କିଛି ନୂଆ ନାଁ ସାମିଲ ହୋଇଛି ।

ଆସ୍କା : ପ୍ରମିଳା ବିଷୋୟୀ (ବିଜେଡି)
୨୦୧୯ ନିର୍ବାଚନରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ଚେହେରା । ନାଁ ଘୋଷଣା ଠାରୁ ଆରମ୍ଭ କରି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରମିଳା । ରାଜନୀତିରେ ବୟସର ମାନେ କିଛି ନଥାଏ ଏହାକୁ ପ୍ରମାଣିତ କରିଛନ୍ତି ପ୍ରମିଳା । ନିଜ ଡେବ୍ୟୁ ଆସନରୁ ପ୍ରମିଳାଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ନବୀନ । ଆଉ ନିଜର ଡେବ୍ୟୁ ମ୍ୟାଚରେ ହିଁ ବଡ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ପ୍ରମିଳା । ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କୁ ପ୍ରାୟ ୨,୦୪,୭୦୭ ଭୋଟରେ ମାତ୍ ଦେଇ ଆସ୍କାବାସୀଙ୍କ ନୂଆ ଆଶା ହୋଇ ଉଭା ହୋଇଛନ୍ତି ପ୍ରମିଳା ।

କଟକ : ଭର୍ତ୍ତୃହରି ମହତାବ (ବିଜେଡି)
କଟକରେ ବିଜୟସୂଚକ ଛକା ମାରିଛନ୍ତି ଭର୍ତ୍ତୃହରି ମହତାବ । ବିଜେଡିର ପୁରୁଖା ତଥା ଏହି ହେଭିୱେଟ ଚେହେରାଙ୍କ ଉପରେ ସମସ୍ତଙ୍କର ନଜର ରହିଥିଲା । କାରଣ ଏହି ସମ୍ମାନଜନକ ପ୍ରଥମଥର ପାଇଁ ଭର୍ତ୍ତୃହରିଙ୍କ ବିଜୟ ସମ୍ଭାବନା ଉପରେ ଆଶଙ୍କାର କଳାବାଦଲ ଘୋଡିଯାଇଥିଲା । ଏପରିକି କଟକରେ ପ୍ରଥମଥର ପାଇଁ ପଦ୍ମ ଫୁଟିବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା ନିର୍ବାଚନ ଫଳାଫଳ । ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ୧୨୧୨୦୧ ଭୋଟରେ ପଛରେ ପକାଇ ପୁଣିଥରେ କଟକର କିଙ୍ଗ୍ ସାଜିଛନ୍ତି ଭର୍ତ୍ତୃହରି । ଆଉ ଏହାସହ ବିଜେପିର ରଣନୀତିକୁ ଭଣ୍ଡୁର କରିଛନ୍ତି ଭର୍ତ୍ତୃହରି ।

ଜଗତସିଂହପୁର : ରାଜଶ୍ରୀ ମଲ୍ଲିକ (ବିଜେଡି)
ଜଗତସିଂହପୁରରେ କାମ ଦେଲା ନବୀନଙ୍କ ମହିଳା କାର୍ଡ । ଦିଲ୍ଲୀ ଲଢେଇ ପାଇଁ ବିଜେଡିର ମହିଳା ସିପାହୀ ସାଜିଥିବା ରାଜଶ୍ରୀ ମଲ୍ଲିକ ଦଳକୁ ସବୁଠୁ ବଡ ବିଜୟ ଭେଟି ଦେଇଛନ୍ତି । ଆଉ ଏହାସହ ପୁଣିଥରେ ସୁପ୍ରିମୋଙ୍କ ଭରସା ଜିତିବାରେ ସକ୍ଷମ ହୋଇଛନ୍ତି । ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ସର୍ବାଧିକ ୨୭୧୬୫୫ ଭୋଟରେ ବିଜେପି ପ୍ରାର୍ଥୀ ବିଭୂ ତରାଇଙ୍କୁ ପଛରେ ପକାଇ ପ୍ରଥମଥର ଦିଲ୍ଲୀ ଦରବାରରେ ପହଞ୍ଚିଛନ୍ତି ରାଜଶ୍ରୀ ।

ଯାଜପୁର : ଶର୍ମିଷ୍ଠା ସେଠୀ ( ବିଜେଡି)
ଶର୍ମିଷ୍ଠା ସେଠୀ । ଯାଜପୁରର ନବନିର୍ବାଚିତ ସାଂସଦ । ଚଳିତ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା କିଛି ପ୍ରଶାସକଙ୍କ ମଧ୍ୟରୁ ସବୁଠୁ ସଫଳତମ ପ୍ରାର୍ଥୀ । ପ୍ରଶାସକରୁ ପଲିଟିକ୍ସରେ ଏଣ୍ଟ୍ରି ମାରିଥିବା ଶର୍ମିଷ୍ଠା ଯାଜପୁରରେ ଉଡାଇଛନ୍ତି ବିଜେଡିର ବିଜୟ ବାନା । ବିଜେପି ପ୍ରାର୍ଥୀ ଅମୀୟକାନ୍ତ ମଲ୍ଲିକଙ୍କୁ ୧୦୧୬୯୩ ଭୋଟ ବ୍ୟବଧାନରେ ମାତ୍ ଦେଇ ପିନ୍ଧିଛନ୍ତି ବିଜୟର ତାଜ୍ । ଆଉ ଏହାସହ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିତିଥିବା ପ୍ରାର୍ଥୀଙ୍କ ତାଲିକାରେ ନିଜକୁ ସାମିଲ କରିଛନ୍ତି ଶର୍ମିଷ୍ଠା ।

ସୁନ୍ଦରଗଡ : ଜୁଏଲ ଓରାମ (ବିଜେପି)
ସୁନ୍ଦରଗଡ ରାଜନୀତିର ସବୁଠୁ ଅଭିଜ୍ଞ ତଥା ପୁରୁଣା ଚେହେରା ଜୁଏଲ । ଉଭୟ ରାଜ୍ୟ ଓ କେନ୍ଦ୍ର ରାଜନୀତିରେ କାଟତି ରଖିଥିବା ଜୁଏଲଙ୍କୁ ପୁଣିଥରେ ସୁନ୍ଦରଗଡ ସିଂହାସନରେ ବସାଇଛନ୍ତି ଜନତା । ଭୋଟରଙ୍କ ଭରସା ଜିତି ପଞ୍ଚମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଜୁଏଲ । ତାହା ବି ପୁଣି ବଡ ବ୍ୟବଧାନରେ । ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳଙ୍କୁ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଭୋଟ ୨୨୩୦୬୫ ଭୋଟରେ ପଛରେ ପକାଇ ଜୁଏଲ ଜିତିଛନ୍ତି ସୁନ୍ଦର‘ଗଡ’ ।

କେନ୍ଦ୍ରାପଡା : ଅନୁଭବ ମହାନ୍ତି (ବିଜେଡି)
ତୁଳସୀକ୍ଷେତ୍ରର ତାଜ୍ ପିନ୍ଧିଛନ୍ତି ଅନୁଭବ । ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ରାପଡା କୁରୁକ୍ଷେତ୍ରରେ ବିରୋଧୀଙ୍କ ଚକ୍ରବ୍ୟୁହରୁ ବେଶ ସହଜରେ ମୁକୁଳି ଆସିଛନ୍ତି ‘ଅଭିମନ୍ୟୁ’ ଅନୁଭବ । ଉପକୂଳ ଓଡିଶାର ସବୁଠୁ ଚର୍ଚ୍ଚିତ ଆସନ କେନ୍ଦ୍ରାପଡାରୁ ବିଜେପି ପ୍ରାର୍ଥୀ ତଥା ଅଭିଜ୍ଞ ବୈଜୟନ୍ତଙ୍କୁ ୧୫୨୫୮୪ ଭୋଟରେ ମାତ୍ ଦେଇ କେନ୍ଦ୍ରାପଡା ରାଜନୀତି ଇତିହାସର ରିପିଟ୍ କରିଛନ୍ତି ନବାଗତ ଅନୁଭବ । ଫୋକସରେ ରହିଥିବା କେନ୍ଦ୍ରାପଡାରେ ପୁଣିଥରେ ଉଡିଛି ବିଜେଡିର ବିଜୟ ବାନା ।

କନ୍ଧମାଳ : ଅଚ୍ୟୁତ ସାମନ୍ତ (ବିଜେଡି)
କନ୍ଧମାଳରେ କମାଲ କଲେ ଅଚ୍ୟୁତ । ବିଜେଡିର ଦିଲ୍ଲୀ ଯୋଦ୍ଧା ସାଜିଥିବା ଅଚ୍ୟୁତ ନିର୍ବାଚନ ମୈଦାନରେ ବିରୋଧୀଙ୍କୁ ପ୍ରଥମ ଯୁଦ୍ଧରେ ଲକ୍ଷାଧିକ ଭୋଟରେ ପରାସ୍ତ କରି ବଡ ସଫଳତା ହାସଲ କରିଛନ୍ତି । କନ୍ଧମାଳ ଆସନ ପାଇଁ ହେଉଥିବା ଲଢେଇରେ ବିଜେପି ପ୍ରାର୍ଥୀ ଐର ଖାରବେଳ ସ୍ୱାଇଁଙ୍କୁ ୧୪୯୨୧୬ ଭୋଟରେ ମାତ୍ ଦେଇ ବାଜି ମାରିଛନ୍ତି ଅଚ୍ୟୁତ୍ ।