ଶବକୁ ଏ କି ସମ୍ମାନ? ଶବାଗାରରେ କାମ କରୁନି ଫ୍ରିଜର, ପଚି ସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ଶବ ।

344

କନକ ବ୍ୟୁରୋ : ଡାକ୍ତରଖାନାରେ ଶବକୁ ଅସମ୍ମାନ । ଡାକ୍ତରଖାନାରେ ପଚି ଯାଉଛି ଶବ । ଶବାଗାରର ପାଖ ମାଡି ହେଉ ନାହିଁ । ଏହି ସ୍ଥିତି କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଏମିତି ସାଙ୍ଘାତିକ ଓ ସଂଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବିରୋଧରେ । ଦୀର୍ଘ ଦିନ ହେବ ଶବଗୃହରେ ଥିବା ଫ୍ରିଜର ଗୁଡିକ ଅଚଳ ହୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି ।

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ପ୍ରତି ଦିନ ବହୁ ଶବ ଆସିଥାଏ । ସେଥିରୁ କିଛି ଶବକୁ ସଂରକ୍ଷଣ କରିବାକୁ ପଡିଥାଏ । ହେଲେ ଶବ ସଂରକ୍ଷଣ ପାଇଁ ଡାକ୍ତରଖାନାରେ ଥିବା ଫ୍ରିଜର ଗୁଡିକ ଅଂଚଳ ହୋଇଯିବାରୁ ଏବେ ଶବ ସଂରକ୍ଷଣ ଅସମ୍ଭବ ହୋଇପଡିଛି । ଏବଂ ଶବଗୁଡିକ ପଚି ଦୁର୍ଗନ୍ଧ ହେବା ଭଳି ଭଳି ସଂଗୀନ ଅଭିଯୋଗ ଆସିଛି । ନିୟମ ଅନୁସାରେ ଡାକ୍ତରଖାନାରେ ଅଚିହ୍ନା ଶବକୁ ୯୬ ଘଣ୍ଟା ପର୍ଯ୍ୟନ୍ତ ରଖା ଯାଇପାରିବ । ମାତ୍ର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ୪୮ ଘଣ୍ଟାରେ ଶବ ଗୁଡିକ ପଚି ଯାଉଥିବା ଅଭିଯୋଗ ହେଉଛି । ଶବ ସଂରକ୍ଷଣ ପାଇଁ ଶବାଗାରରେ ୩ଟି ଫ୍ରିଜର ରହିଛି । ସେଥିରୁ ୨ଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଗୋଟିଏ ପୁରା ଅଚଳ ।

ଶବାଗାରରେ ଶବ ସବୁ ପଚି ଦୁର୍ଗନ୍ଧ ବାହାରୁ ଥିବାରୁ ଶବଗୃହକୁ ଲାଗି ରହିଥିବା ବିଭାଗରେ ରହି ହେଉନାହିଁ । କିଛି ଦିନ ତଳେ ଜଣେ ବୃଦ୍ଧାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତାଙ୍କର କେହି ନିଜର ନଥିବାରୁ ତାଙ୍କ ଶବକୁ ଡାକ୍ତରଖାନା ଶବାଗାରରେ ରଖାଯାଇଥିଲା । ସେ ଶବ ବି ସଢି ଯିବାରୁ ବହୁ କଷ୍ଟରେ ଶବଦାହ କରିଥିଲେ ମ୍ୟୁନିସପାଲିଟି କର୍ମଚାରୀ । ସେପଟେ ମେଡିକାଲ କଲେଜ ଅଧ୍ୟକ୍ଷ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟକଥା ହେଲା ଜିଲ୍ଲାପାଳ ଘନଘନ ଡାକକ୍ତରଖାନା ପରିଦର୍ଶନ କରୁଛନ୍ତି । ନିକଟରେ ଫାଇଭ-ଟି ସଚିବ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ସାରିଛନ୍ତି । କିନ୍ତୁ ଏଥିପ୍ରତି କାହାରି ନିଘାନାହିଁ ।