ବଜ୍ରକାପ୍ତା ଚୋରାଚାଲାଣ ରୋକିବାକୁ ବନବିଭାଗର ବଡ ଘୋଷଣା ।  ବଜ୍ରକାପ୍ତା ଚୋରାଚାଲାଣ ବାବଦରେ ସୂଚନା ଦେଲେ ମିଳିବ ୧୦ ହଜାର, ପୋଷ୍ଟର ମାରିଲା ବନବିଭାଗ । 

732

କନକ ବ୍ୟୁରୋ : ବଜ୍ରକାପ୍ତା ଚୋରାଚାଲାଣ ନେଇ ବନ ବିଭାଗର ଚିନ୍ତା ବଢିଛି । ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି ବିଭାଗ । ବଜ୍ରକାପ୍ତା ବିଷୟରେ କୌଣସି ବି ସୂଚନା ଦେଲେ ମିଳିବ ପୁରସ୍କାର । ଆଠଗଡ଼ ବନାଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଲୋକଙ୍କୁ ଏଭଳି ଅନୁରୋଧ କରିଛନ୍ତି ବନାଞ୍ଚଳ  ଅଧିକାରୀ ।

ବଜ୍ରକାପ୍ତା ଧରିବା କିମ୍ବା କୌଣସି ଚୋରାଚାଲଣର ସୂଚନା ଦେଲେ ଦଶ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି ବନବିଭାଗ । ପୂର୍ବରୁ ଆଠଗଡ଼ ଅଞ୍ଚଳରୁ ବଜ୍ରକାପ୍ତା ଚୋରାଚାଲଣ ଅଭିଯୋଗରେ ବିଭିନ୍ନ ପର୍ଯ୍ୟାୟରେ ୧୨ ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା ମଧ୍ୟ କରିଛି ବନ ବିଭାଗ ।

ସୋସିଆଲ ମିଡିଆରେ ବଜ୍ରକାପ୍ତା ବେପାର ଚାଲିଥିବା ବେଳେ କିଛି ଦିନ ପୂର୍ବେ ଏହାର ସୁରାକ ପାଇଥିଲା ବନବିଭାଗ । ଆଉ ଏହାପରେ ବଜ୍ରକାପ୍ତା ଚୋରାଚାଲାଣକାରୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା ବନବିଭାଗ । ସୋସିଆଲ ମିଡିଆରେ ବଜ୍ରକାପ୍ତା ବିକ୍ରି ନେଇ ଡିଲ୍ ଫାଇନାଲ ହେବା ପରେ ଅନ୍ୟ ରାଜ୍ୟ ଓ ବିଦେଶକୁ ଚୋରାଚାଲାଣ କରୁଥିଲେ ଦଲାଲ । ବଜ୍ରକାପ୍ତାର କାତି ଓ ଓଜନ ହିସାବରେ ଟଙ୍କା ଦେଉଥିଲେ ଦଲାଲ । କିଲୋ ପିଛା ୧ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା ବଜ୍ରକାପ୍ତା । ବଜ୍ରକାପ୍ତା କାତିରେ ଅନେକ ଔଷଧୀୟ ଗୁଣ ରହିଥିବା ବେଳେ ଏହାକୁ ବୁଲେଟ ପ୍ରୁଫ୍ ଜ୍ୟାକେଟରେ  ବ୍ୟବହାର କରାଯାଉଥିବାରୁ ବିଦେଶରେ ଏହାର ଚାହିଦା ରହିଛି ।