ତିତଲି ଆଣିଦେଲା ଦୁଃଖ । ଗଜପତି ବାରଘରରେ ପାହାଡ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି । ଏବେବି ୩ଜଣଙ୍କର ମିଳୁନି ସନ୍ଧାନ

41

କନକ ବ୍ୟୁରୋ: ତିତଲି ଉଜାଡିଦେଲା ପରିବାର । ଆଣିଦେଲା ଦୁଃଖ । ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଂଚାୟତର ୧୨ ଘର ଗାଁରେ ପାଣିରେ ଭାସିଯାଇଥିବା ୧୬ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତଦେହ ମିଳିଛି । ଏବେ ବି ୩ ଜଣ ନିଖୋଜ ଅଛନ୍ତି । ତିତଲିର ପ୍ରଳୟଙ୍କରୀ ବର୍ଷା ଛଡ଼ାଇ ନେଇଥିଲା ଏହି ପରିବାରର ସବୁକିଛି । ନିଖୋଜଙ୍କୁ ଖୋଜିବା ପାଇଁ ପ୍ରଶାସନର ଉଦ୍ୟମ ଜାରି ରହିଛି । ବର୍ଷା ବିତ୍ପତିରୁ ରକ୍ଷା ପାଇବା ପାଇଁ ମହେନ୍ଦ୍ରଗିରି ପାହାଡ଼ ପାଦ ଦେଶରେ ରହୁଥିବା ୫ ପରିବାରର ପ୍ରାୟ ୧୬ ଜଣ ଲୋକ ପାହାଡ଼ ଉପରେ ଥିବା ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ ।

ହେଲେ ହଠାତ୍ ପାହାଡ଼ ଧସିବା ଆରମ୍ଭ କରିଥିଲା । ଚାହୁଁ ଚାହୁଁ ଲୋକଙ୍କ ଉପରେ ଓଜାଡି ହୋଇଗଲା ପାହାଡ଼ । ଏଥିରେ ୧୩ ଜଣ ପ୍ରାଣ ହରାଇଛନ୍ତି ଓ ୩ ଜଣଙ୍କ ପତା ମିଳୁନାହିଁ । ବର୍ଷା ପାଣିର ସୁଅ ଏତେ ପ୍ରଖର ଥିଲା ଯେ ବିଛାଡି ହୋଇ ପଡିଥିଲା ମୃତଦେହ । ମୁଣ୍ଡ ଗୁଜିବାକୁ ଛାତ ନାହିଁ, ଯେଉଁ ପାହାଡ଼କୁ ଭରସା କରି ଜିଇଁଥିଲେ, ଶେଷରେ ସେହି ପାହାଡ଼ ନେଇଯାଇଛି ଲୋକଙ୍କ ଜୀବନ ।

ସେପଟେ, ରାଜ୍ୟ ସରକାରଙ୍କ ପାଖରେ ମୃତ୍ୟୁ ସଂଖ୍ୟା ନେଇ ଜିଲ୍ଲା ପ୍ରଶାସନର ରିପୋର୍ଟ ମିଳିବା ପରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ମିଳିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବର୍ଣ୍ଣନା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସବିଶେଷ ରିପୋର୍ଟ ମିଳିବା ପରେ ସେମାନଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି, ଗଣମାଧ୍ୟମରୁ ଏପରି ଦୁଃଖଦ ଖବର ଜାଣିବା ପରେ ଏହା ତାଙ୍କୁ ମର୍ମାହତ କରିଛି। ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।